ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: ତଦନ୍ତ କରୁଛି କ୍ରାଇମବ୍ରାଂଚ
ଧର୍ମଶାଳା: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ପୁଲିସ ଗିରଫ କରିବା ପରେ ଏବେ କ୍ରାଇମବ୍ରାଂଚ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛି । ସକାଳୁ ସକାଳୁ ତଦନ୍ତକାରୀ ସଂସ୍ଥାର ଟିମ ସେଠି ପହଂଚି ସେଦିନର ଘଟଣା କିପରି ଥିଲା, ବିଧାୟକଙ୍କ ଉପରକୁ କିପରି ଆକ୍ରମଣ କରାଯାଇଥିଲା ଏଭଳି ତମାମ ପ୍ରଶ୍ନର ତନାଘନା ତଦନ୍ତ କରୁଛି କ୍ରାଇମବ୍ରାଂଚ ।
ଗତ ୨୦ ତାରିଖ ସନ୍ଧ୍ୟାରେ ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ହୋଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍ ଛଡାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଯାଜପୁର ଟାଉନ ଥାନା ଘେରାଉ କରି ଧର୍ମଶାଳା ବିଧାୟକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଥିଲେ। ଅପରପକ୍ଷେ ଭାଜପା ପକ୍ଷରୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ତାଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କ ସମେତ ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କୁ ଗିରଫ ଦାବିରେ ଶତାଧିକ ଭାଜପା କର୍ମୀ ଯାଜପୁର ସଦର ଥାନାକୁ ଘେରାଉ କରିଥିଲେ।