ଭୁବନେଶ୍ୱର: ରାସନ କାର୍ଡକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମନ୍ତ୍ରୀ । କହିଲେ ପୂର୍ବରୁ ଭୂତ ଖାଉଥିଲେ ରାସନ । ମୃତୁ୍ୟ ପରେ ବି ମିଳୁଥିଲା ଚାଉଳ । ଜଣେ କି ଦୁଇ ଜଣ ନୁହେଁ ଲକ୍ଷାଧିକ ମୃତ ହିତାଧିକାରୀ ପାଉଥିଲେ ରାସନ କାର୍ଡର ସୁବିଧା । ଏପରି କିଛି କହି ଗୃହରେ ବିସ୍ଫୋରକ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ପୂର୍ବ ସରକାରରେ ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ରାସନ ପାଉଛନ୍ତି ।
ଇ-କେୱାଇସି ପ୍ରକ୍ରିୟାରୁ ମୃତ ହିତାଧିକାରୀଙ୍କ ବାବଦରେ ଜଣାପଡିଥିବା ଗୃହରେ ମନ୍ତବ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ଆଜି ଗୃହରେ ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନ ହିତାଧିକାରୀ ରହିଥିବା ବେଳେ ଏଯାବତ୍ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି । ଏଥିସହିତ ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରିଥିବା ବେଳେ ଅପେକ୍ଷାରେ ଅଛନ୍ତି । ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଠାବ ହୋଇଥିବା ବେଳେ ସେମାନଙ୍କୁ କଟାଟାଇ ତାଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ ।
ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ । ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ସେତିକି ଖାଲି ସ୍ଥାନରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ । ଏଥିସହିତ ଏହି ପ୍ରକ୍ରିୟା ଶୀଘ୍ର ଆରମ୍ଭ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଉତ୍ତର ରଖିଛନ୍ତି ମନ୍ତ୍ରୀ ।