କୁମ୍ଭମେଳା ପରେ କୁଆଡ଼େ ହଜିଯାଆନ୍ତି ନାଗା ସାଧୁ, ଜାଣନ୍ତୁ ରହସ୍ୟ
ପ୍ରୟାଗରାଜ: ଚାଲିଛି ମହାକୁମ୍ଭର ମହାଆଖଡ଼ା । ମହାକୁମ୍ଭ କଥା ସାମ୍ନାକୁ ଆସିଲେ ମନରେ ପ୍ରଥମ ଚିତ୍ର ନାଗା ସାଧୁଙ୍କର ଆସିଥାଏ । ବିଭୁତିମୟ ଶରୀରରେ ରୁଦ୍ରାକ୍ଷ ଭର୍ତ୍ତି । ଦେହରେ ବସ୍ତ୍ର କହିଲେ ଖଣ୍ଡେ ଲଙ୍ଗୋଟ । ନା ଜାଡ଼ ଥଣ୍ଡାର ଫରକ ଥାଏ ନା ଦୁନିଆର ମୋହ ମାୟା । ଶିବଭକ୍ତିରେ ଲୀନ ଥା’ନ୍ତି ନାଗା ସାଧୁ । କିନ୍ତୁ ମନରେ ପ୍ରଶ୍ନ ଆସେ କିଏ ଏହି ନାଗା ସାଧୁ? କେମିତି ଜଣେ ମଣିଷ ନାଗା ସାଧୁ ହୋଇଥାଏ? କ’ଣ ରହିଛି ବିଧି ବିଧାନ । ନାଗା ସାଧୁ ହେବା ଅତ୍ୟନ୍ତ କଷ୍ଟକର । ସାଂସାରିକ ଜୀବନ ତ୍ୟାଗ କରି ଶରୀରକୁ କଷ୍ଟ ଦେଇ ମହାଦେବଙ୍କ ସାଧନାରେ ଥାନ୍ତି ଲୀନ । ନିଜର ପିଣ୍ଡ ପକାଇ ସନ୍ୟାସୀ ସାଜିଥାନ୍ତି । ସ୍ୱଳ୍ପ ଆହାର ଭିତରେ ଗ୍ରୀଷ୍ମରେ ଗରମ ଓ ଶୀତରେ ଥଣ୍ଡା ଖାଇବା ଖାଇବାକୁ ପଡେ । କିଛି ସାଧୁ ଜଳ ଆହାରକୁ ତ୍ୟାଗ କରି ସାଧନାରେ ମଗ୍ନ ଥା’ନ୍ତି । ଗୋଟିଏ ଲକ୍ଷ୍ୟ ଥାଏ । ନିଜ ସାଧନା ବଳରେ ଈଶ୍ୱରଙ୍କୁ ପ୍ରାପ୍ତି । ନାଗା ସାଧୁଙ୍କର ଇଷ୍ଟ ହେଉଛନ୍ତି ମହାଦେବ । ତାଙ୍କୁ ପାଇବା ପାଇଁ ଜନଗହଳି ଠୁ ଦୂରରେ ନିର୍ଜନ ପାହାଡ଼ ପର୍ବତ ଭିତରେ କରିଥାନ୍ତି ତପସ୍ୟା । କିନ୍ତୁ ମହାକୁମ୍ଭ ହେଲେ ଧାଇଁ ଆସନ୍ତି ବୁଡ଼ ପକାଇବା ପାଇଁ । ଜଣେ ସାଧବା ନାରୀ ଯେପରି ୧୬ ଶ୍ରୀଙ୍ଗାର କରିଥାଏ, ଠିକ ସେହି ଭଳି ବିଭୂତି, ରୁଦ୍ରାକ୍ଷ ପରି ୧୭ ପ୍ରକାରର ଜିନିଷରେ ନାଗା ସାଧୁମାନେ କରିଥାନ୍ତି ଶ୍ରୀଙ୍ଗାର । ଯାହାକୁ ୧୭ ଶ୍ରୀଙ୍ଗାର ବୋଲି କୁହାଯାଏ । ନାଗା ସାଧୁମାନଙ୍କ ସାଧନା ଯେତିକି କଷ୍ଟକର ସେତିକି ରହସ୍ୟମୟ ମଧ୍ୟ ।