ସିଏଜି ରିପୋର୍ଟକୁ ନେଇ ଦିଲ୍ଲୀ ବିଧାନସଭାରେ ହଙ୍ଗାମା ।

ନୂଆଦିଲ୍ଲୀ : ଦିଲ୍ଲୀରେ ରେଖା ଗୁପ୍ତାଙ୍କ ନେତୃତ୍ୱାଧୀନ ବିଜେପି ସରକାର ଆଜି ପ୍ରଥମ ଥର ପାଇଁ ବିଧାନସଭାରେ CAG ରିପୋର୍ଟ ଉପସ୍ଥାପନ କରିଛନ୍ତି। ସିଏଜି ରିପୋର୍ଟ ନେଇ ବିଧାନସଭାରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଏହି ରିପୋର୍ଟରେ, କେଜ୍ରିୱାଲ ସରକାରଙ୍କ ସମୟରେ ଘଟିଥିବା ମଦ ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ ରହିଥିଲା। ବିଧାନସଭାରେ ଉପସ୍ଥାପିତ ରିପୋର୍ଟ ଅନୁଯାୟୀ, ୨୦୨୧-୨୦୨୨ର ଏହି ଆଇନ ଯୋଗୁଁ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି।
ଦିଲ୍ଲୀ ବିଧାନସଭାରେ ଆମ ଆଦମୀ ପାର୍ଟି ସରକାର ଉପରେ ମୋଟ ୧୪ଟି ସିଏଜି ରିପୋର୍ଟ ଉପସ୍ଥାପିତ ହେବାକୁ ଯାଉଛି। ଏହି ରିପୋର୍ଟ ସେମାନଙ୍କ ମଧ୍ୟରୁ ଗୋଟିଏ ଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ, ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାରେ ଉଲ୍ଲଂଘନ କରାଯାଇଥିଲା। ଏ ନେଇ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା କହିଛନ୍ତି ଯେ, ହାଇକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ଯଦି ଆପ୍ ସରକାର CAGର ରିପୋର୍ଟ ଉପସ୍ଥାପନା କରିନାହାନ୍ତି ତେବେ ଏହା ସାମ୍ବିଧାନିକ ଆଦେଶକୁ ଅବମାନନା କରାଯାଇଛି। ଏଥିରେ ସାମ୍ବିଧାନିକ ଅନୁଚ୍ଛେଦ ୧୫୨(ଏ)ର ଉଲ୍ଲଘଂନ କରାଯାଇଛି।
CAG ରିପୋର୍ଟ ଜାରି କରିବା ଉପରେ ଆପ୍ ବିଧାୟକ ଗୋପାଲ ରାୟ କହିଛନ୍ତି ଯେ, ଆମେ ବି ଚାହୁଁଥିଲୁ ଯେ, ସିଏଜି ରିପୋର୍ଟ ଜାରି କରାଯାଉ, ଯାହା ଦ୍ୱାରା ସତ୍ୟ ସାମ୍ନାକୁ ଆସିବ। ମଦ ନୀତିରେ ପରିବର୍ତ୍ତନ ପାଇଁ ଗଠିତ ବିଶେଷଜ୍ଞ ପ୍ୟାନେଲର ସୁପାରିଶଗୁଡ଼ିକୁ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଅଣଦେଖା କରିଥିଲେ। ରିପୋର୍ଟରେ ସରକାରୀ ରାଜକୋଷକୁ ୯୪୧.୫୩ କୋଟି ଟଙ୍କାର ରାଜସ୍ୱ କ୍ଷତି, ଲାଇସେନ୍ସ ଫି ଆକାରରେ ପ୍ରାୟ ୮୯୦.୧୫ କୋଟି ଟଙ୍କାର କ୍ଷତି ଏବଂ ଅନ୍ୟାନ୍ୟ କିଛି ଛାଡ଼ ଯୋଗୁଁ ୧୪୪ କୋଟି ଟଙ୍କାର କ୍ଷତି ଦର୍ଶାଯାଇଛି।