ସରିଲା ମହାକୁମ୍ଭ

ଉତ୍ତରପ୍ରଦେଶ : ସରିଯାଇଛି ମହାକୁମ୍ଭ ମେଳା । ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ମେଳା ମହାଶିବରାତ୍ରିରେ ସମାପ୍ତ ହୋଇଯାଇଛି । ଶେଷ ଦିନରେ ଅମୃତ ସ୍ନାନ ପାଇଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ପବିତ୍ର ମହାଶିବରାତ୍ରୀ ପାଇଁ ବୁଡ଼ ପକାଇବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ୧୪୪ ବର୍ଷ ପରେ ଆୟୋଜିତ ହୋଇଥିଲା ଏହି ମହାକୁମ୍ଭ । ପ୍ରୟାଗରାଜ ମହାକୁମ୍ଭ ସନାତନ ଧର୍ମର ସବୁଠୁ ବଡ଼ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଛି । ଏହାର ଆୟୋଜନରେ ଉଭୟ ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ବ୍ୟାପକ ସୁବ୍ୟବସ୍ଥାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଶେଷ ଦିନ ସୁଦ୍ଧା ମହାକୁମ୍ଭରେ ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଥିବା କୁହାଯାଉଛି ।
ତେବେ ଶିବରାତ୍ରିରେ ଅମୃତ ସ୍ନାନ ପାଇଁ ବ୍ୟାପକ ପ୍ରସ୍ତୁତି କରିଥିଲା ୟୁପି ପୋଲିସ । ଏହି ପବିତ୍ର ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଦେଶର ପ୍ରତ୍ୟେକ କୋଣରୁ ଏବଂ ବିଦେଶରୁ ଭକ୍ତମାନଙ୍କର ଆଜି ପ୍ରବଳ ସମାଗମ ହୋଇଥିଲା । ଏହା ଯୋଗୁଁ ଯାନବାହନ ମଧ୍ୟ ବହୁ ସଂଖ୍ୟାରେ ପ୍ରୟାଗରାଜରେ ପହଞ୍ଚିଥିଲା । ସହରରେ ଭିଡ଼ ନିୟନ୍ତ୍ରଣ ପାଇଁ, ଉତ୍ତର ପ୍ରଦେଶ ପୋଲିସ ପାଞ୍ଚଟି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲା। ସଙ୍ଗମରେ ପହଞ୍ଚିବା ପାଇଁ ଭକ୍ତମାନଙ୍କୁ ଯେପରି କମ୍ ଚାଲିବାକୁ ପଡିବ ସେନେଇ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।