ଆଜି ହେଉଛି ବିଶ୍ବ ଦହିବରା ଆଳୁଦମ ଦିବସ; ଓଡିଶାକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ଏହି ଖାଦ୍ୟ

କଟକ : ଓଡିଆ ଲୋକଙ୍କ ଭାରି ପ୍ରିୟ ଖାଦ୍ୟ ହେଉଛି ଦହିବରା ଆଳୁଦମ । ହେଲେ ସବୁ ଭିତରେ କଟକ ଦହିବରା ଆଳୁଦମର ସ୍ୱାଦ ଭାରି ନିଆରା । ସେଠୁ ଯିଏ ଖାଇଛି ସିଏ ଜାଣିଛି । ଆଜି ମାର୍ଚ୍ଚ ୧ ବିଶ୍ୱ ଦହିବରା ଆଳୁଦମ ଦିବସ ପାଳନ କରାଯାଉଛି । କଟକର ପ୍ରତି ଗଳି କନ୍ଦିରେ ଆପଣ ଦହିବରା ପାଇପାରିବେ । କଟକ ଛଡା ଆପଣ ଓଡ଼ିଶାର ସବୁ ସ୍ଥାନରେ ଦହିବରା ଆଳୁଦମ ପାଇପାରିବେ । କିନ୍ତୁ କଟକର ଦହିବରା ଆଳୁଦମ ସବୁଠାରୁ ନିଆରା। କହିବାକୁ ଗଲେ କଟକିଆଙ୍କ ଦିନ ଆରମ୍ଭ ହୁଏ ଦହିବରାରେ ଆଉ ଶେଷ ବି ହୁଏ ଦହିବରାରେ ।
କଟକର ଗଳି କନ୍ଦିରୁ ବାହାରି ସାରା ବିଶ୍ୱସ୍ତରରେ ପ୍ରତିଟି ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ । ବିଦେଶରେ ରହିଲେ ବି ଓଡିଆ ଲୋକ ଦହିବରା ଆଳୁଦମର ସ୍ୱାଦକୁ କେବେ ଭୁଲି ନାହାନ୍ତି । କଟକର ଦହିବରା ଆଳୁଦମ ବିଶ୍ୱ ପ୍ରସିଦ୍ଧ । ଦହିବରା ଆଳୁଦମ କହିଲେ କଟକ ଆଉ କଟକ କହିଲେ ଦହିବରା ଆଳୁଦମକୁ ବୁଝାଏ । ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କଟକ କେଉଁ କାଳରୁ ପ୍ରସିଦ୍ଧି ଲାଭ କରିଛି । ବର୍ତ୍ତମାନ ଓଡ଼ିଶାର ଏହି ପ୍ରସିଦ୍ଧ ଖାଦ୍ୟ ଦହିବରା ଆଳୁଦମକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ସହ ଏହାକୁ GI ଟ୍ୟାଗ ଦେବା ପାଇଁ ଚେଷ୍ଟା ଜାରିରହିଛି।