ଦୀପାଳି ଦାସଙ୍କ ଉପରେ ଚାପ ପକାଉଛି ବିଜେଡି: ସଂଗୀନ ଅଭିଯୋଗ ଆଣିଲେ ସାଂସଦ ପ୍ରଦୀପ ପୁରୋହିତ

ଭୁବନେଶ୍ୱର : ସ୍ବର୍ଗତ ନବ ଦାସ ହତ୍ୟା ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ ଝିଅ ଦୀପାଳି ଦାସ । କିନ୍ତୁ ଏପର୍ଯ୍ୟନ୍ତ ସିବିଆଇକୁ ଏନେଇ ଲିଖିତ ଆକାରରେ ଜଣାଇନାହାନ୍ତି ଦୀପାଳି କିମ୍ବା ତାଙ୍କ ପରିବାର ସଦସ୍ୟ । ଯାହାକୁ ନେଇ ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ସିବିଆଇ ତଦନ୍ତ ନକରିବାକୁ ନବ ଦାସଙ୍କ ପରିବାର ଉପରେ ବିଜେଡି ଚାପ ପକାଉଥିବା ଅଭିଯୋଗ କରିଛନ୍ତି ବରଗଡ଼ ସାଂସଦ।
ସେ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା । ଜଣେ ଆଇଇଏସ୍ ଅଧିକାରୀ ଥିଲେ, ଯିଏ ଆଗକୁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ । ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ, ଯିଏ ସାରା ରାଜ୍ୟକୁ ଚଳାଉଥିଲେ । ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ, ସେଥିପାଇଁ ସେମାନେ ନବ ଦାସଙ୍କୁ ରାସ୍ତାରୁ ହଟାଇ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ପୁରୋହିତ । ଏବେ ଯଦି ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ, ତାହେଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ ବୋଲି ପ୍ରଦୀପ କହିଛନ୍ତି ।