ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୋଲିସ ବିଭାଗରେ ସୃଷ୍ଟି ହେବ ଆହୁରି ୧୬, ୦୫୯ଟି ନୂଆ ପଦବୀ । ଏହି ନିଷ୍ପତ୍ତି ସହିତ ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଷ୍ପତ୍ତି ଅନୁଯାୟୀ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ ହୋଇଛି ।
ଇନ୍ସପେକ୍ଟର ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୩୦୦ ରୁ ୮୬୦୦ ଟଙ୍କା, ସବ୍ଇନ୍ସପେକ୍ଟର ଓ ଏ.ଏସ୍.ଆଇ ମାନଙ୍କ ପୋଷାକ ଭତ୍ତା ବାର୍ଷିକ ୪୨୦୦ ଟଙ୍କାରୁ ୮୪୦୦ ଟଙ୍କା, ହାବିଲଦାର, କନେଷ୍ଟବଳ ଓ ସିପାହୀ ମାନଙ୍କ ପାଇଁ ୫୦୦୦ ରୁ ୧୦,୦୦୦ ଟଙ୍କା ଏବଂ ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସର ଏକ୍ସ ଆର୍ମି କର୍ମଚାରୀ ମାନଙ୍କ ପାଇଁ ପୋଷାକ ଭତ୍ତାର ପରିମାଣ ବାର୍ଷିକ ୫୯୦୦ ଟଙ୍କାରୁ ୧୧,୮୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ପଦବୀର ସମାନ ରାଙ୍କ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ମଧ୍ୟ ଏହି ପରିମାଣରେ ଭତ୍ତା ମିଳିବ। ସେହିପରି କନେଷ୍ଟବଳ, ସିପାହୀ ଓ ସମାନ ରାଙ୍କର କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାସହିତ ହାବିଲଦାର ଓ ସମାନ ରାଙ୍କର କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ଡ୍ୟୁଟି ବାର୍ଷିକ ପ୍ରୋତ୍ସାହନ ରାଶିକୁ ସର୍ବାଧିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଭତ୍ତା ଓ ପ୍ରୋତ୍ସାହନ ରାଶିରେ ବୃଦ୍ଧି ଯୋଗୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଛି ସଂଘ । ବର୍ତ୍ତମାନ ରାଜ୍ୟ ପୋଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବୀ ଖାଲି ଥିବାବେଳେ ଏସବୁ ପୂରଣ କରାଯିବା ସହିତ ନୂଆ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।