ଭାରତ-ପାକିସ୍ତାନ ବିବାଦ ପାଇଁ ଆଜି ବସିବ ଜାତିସଂଘର ବୈଠକ

ନୂଆଦିଲ୍ଲୀ : ଆଜି ବସିବ ଜାତିସଂଘର ବୈଠକ । ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ସାମ୍ପ୍ରତିକ ବିବାଦ ପାଇଁ ଜାତିସଂଘର ଏହି ପରାମର୍ଶ ବୈଠକ ଡକାଯାଇଛି । ସନ୍ଧ୍ୟା ୫ଟାରେ ଆଲୋଚନା ହେବ । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଜରୁରୀକାଳୀନ ବୈଠକ ପାଇଁ ନିବେଦନ କରିଥିଲା । ଯାହାକୁ ଗ୍ରହଣ କରିବା ସହ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇଛି ଜାତିସଂଘ ସୁରକ୍ଷା ପରିଷଦ । ଏଥିରେ ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇବ ପାକିସ୍ତାନ ।
୧୫ ଜଣିଆ ଜାତିସଂଘ ସୁରକ୍ଷା ପରିଷଦରେ ଏବେ ଅସ୍ଥାୟୀ ସଦସ୍ୟ ଭାବେ ରହିଛି ପାକିସ୍ତାନ । ୫ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ଅଛନ୍ତି ଚୀନ, ଋଷ, ଇଂଲଣ୍ଡ, ଆମେରିକା ଏବଂ ଫ୍ରାନ୍ସ । ଏମାନଙ୍କ ପାଖରେ ଭେଟୋ ପାୱାର ରହିଛି । ପାକିସ୍ତାନକୁ ଛାଡି ଅନ୍ୟ ୯ଟି ଅସ୍ଥାୟୀ ସଦସ୍ୟ ଦେଶ ହେଉଛନ୍ତି ଗୁଏନା, ପାନାକା, ଦକ୍ଷିଣ କୋରିଆ, ସିଏରା ଲିଓନେ, ସ୍ଲୋଭେନିଆ, ସୋମାଲିଆ, ଆଲଗେରିଆ, ଡେନମାର୍କ ଏବଂ ଗ୍ରୀସ୍ । ଏଥିରେ କିନ୍ତୁ ଭାରତ ନାହିଁ ହେଲେ ଅଧିକାଂଶ ଦେଶ ଭାରତ ସପକ୍ଷରେ ଅଛନ୍ତି । ଭାରତର ଆକ୍ରମଣାତ୍ମକ ଆକ୍ସନକୁ ନେଇ ଜାତିସଂଘ ସୁରକ୍ଷା ପରିଷଦକୁ ଜଣାଇବ ବୋଲି ରବିବାର ପାକିସ୍ତାନ କହିଥିଲା ।