ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ବିବାଦ ଉପରେ ମୁହଁ ଖୋଲିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚାଲିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି – ଆମେ ପୁରୀ ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ଧାମକୁ ସମ୍ମାନ ଦେଉ । ଜଗନ୍ନାଥ ମନ୍ଦିର ସବୁଠି ହୋଇପାରିବ । ମାଆ କାଳୀଙ୍କ ମନ୍ଦିର ଦେଶର ସବୁଠି ଅଛି, ଗୁରୁଦ୍ୱାର ବି ସବୁଆଡେ ଅଛି । ସବୁ ସ୍ଥାନରେ ମନ୍ଦିର ଥାଏ ମଧ୍ୟ । ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ କାହିଁକି ଏତେ ରାଗ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ବିଜେପି ଯାହା କଲେ ଆମେ କିଛି ପ୍ରଶ୍ନ କରୁନୁ, ତାହେଲେ ତାଙ୍କର ଏତେ ରାଗ କ’ଣ ପାଇଁ କହି ବିଜେପିକୁ ହାୱଡାରୁ ଟାର୍ଗେଟ୍ କରିଛନ୍ତି ମମତା । ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଗତ କିଛି ଦିନ ହେବ ତେଜିବାରେ ଲାଗିଛି । ଏପଟେ ପୁରୀ ଶ୍ରୀମନ୍ଦିର ନବକଳେବର ବଳକା କାଠରେ ଦୀଘାରେ ୩ ଠାକୁର ତିଆରି ହୋଇଥିବା ନେଇ ବିବାଦ ଉପୁଜିଥିଲା । ଯେଉଁଥିପାଇଁ ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କୁ ୭ ଦିନ ଭିତରେ କୈଫୟତ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ କହିଛି ।