ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖିବା ବନ୍ଦ କରନ୍ତୁ : ମୋହନ ମାଝୀ

ଭୁବନେଶ୍ୱର : ପଶ୍ଚିମବଙ୍ଗ ଦୀଘାରେ ହୋଇଥିବା ଜଗନ୍ନାଥ ମନ୍ଦିରକୁ ସ୍ଥାନୀୟ ସରକାର ‘ଜଗନ୍ନାଥ ଧାମ’ ଲେଖିବା ନେଇ ବିବାଦ ତେଜିଛି। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିନ୍ଦୁମାନଙ୍କ ୪ ଧାମ ଭିତରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। କେବଳ ଓଡ଼ିଆ ଲୋକ ନୁହନ୍ତି, ଦେଶ ସମେତ ବିଦେଶର କୋଟି କୋଟି ଲୋକଙ୍କ ପାଇଁ ଏହାର ଧାର୍ମିକ, ଅଧ୍ୟାତ୍ମିକ ଓ ସାଂସ୍କୃତିକ ଗୁରୁତ୍ବ ରହିଛି। ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଉଲ୍ଲେଖ କରିବା ଫଳରେ ଶ୍ରଦ୍ଧାଳୁଙ୍କ ଭିତରେ ଦ୍ବନ୍ଦ୍ବ ସୃଷ୍ଟି ହେଉଛି। ଏହା ସହ ପୁରୀର ଯେଉଁ ଐତିହାସିକ ପରିଚୟ ରହିଛି ତାହା ମଳିନ ହେବା ସହ ଧାର୍ମିକ ଭାବାବେଗକୁ ଆଘାତ ଦେଉଛି। ତେଣୁ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ବୋଲି ଲେଖିବା କାର୍ଯ୍ୟରୁ ପଶ୍ଚିମବଙ୍ଗ ସରକାର ବିରତ ରୁହନ୍ତୁ।
ଏହା ସହ କୌଣସି ପ୍ରକାର ପ୍ରୋତ୍ସାହନ କାର୍ଯ୍ୟକ୍ରମ ଓ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଏହାକୁ ଉଲ୍ଲେଖ ନ କରାଯାଉ। ଅନ୍ତଃ ରାଜ୍ୟ ଓ ସାଂସ୍କୃତିକ ଭାବାବେଗକୁ ଗୁରୁତ୍ବ ଦେଇ ପଶ୍ଚିମବଙ୍ଗ ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ପଶ୍ଚିମବଙ୍ଗ ସରକାର ସକାରାତ୍ମକ ପଦକ୍ଷେପ ନନେଲେ ଆମେ ଆଗାମୀ ପଦକ୍ଷେପ ନେବୁ।