ଐତିହ୍ୟ ଓ ସଂସ୍କୃତିଓଡ଼ିଶାଶିକ୍ଷା

ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ‘ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ’ର ଶତବାର୍ଷିକ ଉତ୍ସବରେରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା କେବଳ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ଦେବାର ପ୍ରକ୍ରିୟା ନୁହେଁ, ଏହା ସେମାନଙ୍କୁ ଜୀବନ ଦୌଡ଼ ପାଇଁ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା। ୧୦୦ ବର୍ଷ ଧରି ଆମର ସ୍କୁଲ କେବଳ ଶ୍ରେଣୀ ଗୃହର ସମାହାର ନୁହେଁ। ଏହା ଜ୍ଞାନ ଓ ଚରିତ୍ରର ଏକ ପବିତ୍ର ସ୍ଥାନ। ଆମର ଭବିଷ୍ୟତ ଗଠନର ମୂଳଦୁଆରେ ଥିବା ପ୍ରତ୍ୟେକ ଇଟା ଦୃଢ଼ତାର କାହାଣୀ ଧାରଣ କରିଛି ।

ସେହିପରି ଜ୍ଞାନକୁ ସଠିକ ମାର୍ଗରେ ଲଗେଇବାକୁ ଉପଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜି ଆମ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ଅନେକ ପିଲା ପାଠ ପଢିବା ପରେ ନିଜ ଜ୍ଞାନ ଗରିମାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲଗେଇ ନିଜ ଭବିଷ୍ୟତକୁ ଧ୍ବଂସ କରୁଛନ୍ତି। ହେଲେ ଆମେ ଯୁଦ୍ଧ ନୁହେଁ, ବୁଦ୍ଧ ଚାହୁଁ। ଆମେ ଜିହାଦ ନୁହେଁ, ଜଗନ୍ନାଥ ଚାହୁଁ। ଏଣୁ ଆମେ ପାଠ ପଢି ନିଜର, ନିଜ ପରିବାରର, ନିଜ ଗାଁର ଯଶ କୀର୍ତ୍ତି ବଢ଼େଇବା ସହ ଆମ ମାଟି ମାଆର ଶୌର୍ଯ୍ୟ ଓ ସମ୍ମାନ ପାଇଁ ନିଜକୁ ସମର୍ପିତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଦୀର୍ଘ ୧୦୦ ବର୍ଷ ଧରି ଏହି ବିଦ୍ୟାଳୟ ଖଲ୍ଲିକୋଟ ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରି ଆସୁଅଛି ଏବଂ ଏହି ଶତାୟୁ ବିଦ୍ୟାଳୟରେ ପାଠ ପଢ଼ିବା, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗାଙ୍ଗଦହଣୀ ଉଚ୍ଚ ବିଦ୍ୟାଳୟର ଐତିହ୍ୟ, ଜୟଯାତ୍ରା ଓ ସଫଳତାକୁ ମନେ ପକେଇ ଯଥୋଚିତ ସମ୍ମାନ କରିବା ପାଇଁ ଏହା ହେଉଛି ପ୍ରକୃତ ଅବସର । ଏହା ହେଉଛି, ଆମ ପୂର୍ବତନ ଛାତ୍ରଙ୍କ ସଫଳତାର ଜୀବନ୍ତ ପ୍ରମାଣ। ଆପଣଙ୍କ ଯାତ୍ରା ଏଠାରେ ସ୍ଥାପିତ ମୂଲ୍ୟବୋଧକୁ ପ୍ରତିଫଳିତ କରେ, ଏବଂ ଆପଣଙ୍କ ସଫଳତା ଭବିଷ୍ୟତ ପିଢ଼ିକୁ ଉଚ୍ଚ ଲକ୍ଷ୍ୟ ସହିତ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦିଏ।

ଏଥିସହିତ ସଫଳତା ପାଇବା ପାଇଁ କୌଣସି ସର୍ଟକଟ ନାହିଁ, ଯଦି ଅଛି ତ କେବଳ ସଂଘର୍ଷ ଆଉ କଠିନ ପରିଶ୍ରମ । ପରିଶ୍ରମ କର, ଫଳ ନିଶ୍ଚୟ ମଧୁର ହେବ । ତୁମେମାନେ ଜଣେ ଜଣେ ସଫଳ ବିଦ୍ୟାର୍ଥୀ ହେବା ସହିତ ଜଣେ ଜଣେ ଦକ୍ଷ ରାଷ୍ଟ୍ର ନିର୍ମାତା ହୁଅ। ତୁମେମାନେ ନିରାଶାର ଅନ୍ଧାରକୁ ଚିରି ଆଶାର ଆଲୁଅ ହେଇ ଜଳ। ନିଜର ଜ୍ଞାନ ଓ ଦକ୍ଷତା ବଳରେ ତୁମେମାନେ ଧୂପକାଠି ପରି ଜଳି ଅନ୍ୟକୁ ସୁବାସ ଦିଅ। ତୁମେମାନେ ଅମୃତର ସନ୍ତାନ। ତୁମେମାନେ ଅସାଧ୍ୟକୁ ସାଧ୍ୟ କରିପାରିବ। ସେ ବିଶ୍ୱାସ ଓ ଭରସା ମୋର ଅଛି। ଏପରି ଓଜସ୍ୱିନୀ ଉପଦେଶ ସହିତ ପିଲାମାନଙ୍କୁ ପ୍ରେରଣା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com