ଓଡ଼ିଶା

ଗଞ୍ଜାମରେ ଗଣବଳାତ୍କାର; ୧୦ ଜଣଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର/ବ୍ରହ୍ମପୁର, ୧୭/0୬: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଗୋପାଳପୁର ବେଳାଭୂମିରେ ରବିବାର ଦିନ ଜଣେ କଲେଜ ଛାତ୍ରୀ ଗଣବଳାତ୍କାର ଶିକାର ହୋଇଛନ୍ତି। ଏହି ଘଟଣା ସମ୍ବନ୍ଧରେ ଗୋପାଳପୁର ଥାନାରେ ଅଭିଯୋଗ ଦାଖଲ ହୋଇଛି | ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଦୁର୍ବୁତ୍ତମାନେ ବଳାତ୍କାର କରିଥିଲେ। ପୋଲିସ ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ ଅଞ୍ଚଳରେ ଚଢ଼ାଉ କରି ଘଟଣା ସହ ସଂପୃକ୍ତ ୧୦ ଜଣଙ୍କୁ ଅଟକ କରିଛି ଓ ସେମାନଙ୍କୁ ଜେରା କରାଯାଉଛି। ସୋମବାର ଦିନ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ. ଘଟଣାସ୍ଥଳ ଏବଂ ଥାନାରେ ପହଞ୍ଚି ବିସ୍ତୃତ ତଦନ୍ତ କରିଛନ୍ତି। ଘଟଣାର ସଠିକ ତଦନ୍ତ ପାଇଁ ଜଣେ ମହିଳା ଡିଏସ୍‌ପି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏସ୍‌ପି, ସାଇଣ୍ଟିଫିକ ଟିମ୍‌, ଥାନାଧିକାରୀ ଓ ପୀଡିତାଙ୍କ ପୁରୁଷ ବନ୍ଧୁ ଘଟଣାସ୍ଥଳରେ ପହଞ୍ଚି ପରିଦର୍ଶନ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ବ୍ରହ୍ମପୁର ଅଞ୍ଚଳର ଏକ ସରକାରୀ ମହାବିଦ୍ୟାଳୟର ଛାତ୍ରୀ ଯିଏ ଅନ୍ୟ ଜିଲ୍ଲାର ବାସିନ୍ଦା, ସେ ରବିବାର ସନ୍ଧ୍ୟାରେ ତାଙ୍କ ପୁରୁଷ ବନ୍ଧୁ ସହିତ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସିଥିଲେ। ଉଭୟ ଏକ ନିଛାଟିଆ ଶାନ୍ତ ଅଞ୍ଚଳରେ ବସିଥିବା ବେଳେ, ସନ୍ଧ୍ୟା ୭ଟା ସମୟରେ ୩ଟି ବାଇକରେ ୧୦ ଯୁବକ ଆସି ଦୁଷ୍କର୍ମ କରିଥିଲେ । ସେମାନେ ପ୍ରଥମେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ମାରି ବାନ୍ଧିଦେଇଥିଲେ । କିଛି ଯୁବକ ତାଙ୍କୁ ଅଟକ ରଖିଥିଲେ, ବାକି ଯୁବକ ଛାତ୍ରୀଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ।

ଏହାପରେ, ଦୁଷ୍କର୍ମକାରୀ ମାନେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧମକ ଦେଇ ଫୋନ ପେ’ ମାଧ୍ୟମରେ ଟଙ୍କା ନେଇଥିଲେ ଓ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଏ ଘଟଣା ବିଷୟରେ ପୀଡିତା ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଜଣ ଯୁବକଙ୍କୁ ଧରିଛି । ସେମାନେ ଏକ କଲେଜର ଛାତ୍ର ବୋଲି ଜଣାପଡ଼ିଛି।

ଏହି ସହିତ ଉଲ୍ଲେଖନୀୟ ଯେ, ଗତ ୬ ମାସ ମଧ୍ୟରେ ଗୋଳନ୍ଥରା ଓ ଗୋପାଳପୁର ଅଞ୍ଚଳରେ ଏହା ତୃତୀୟ ବଳାତ୍କାର ଘଟଣା। ଗତ ଜାନୁଆରୀରେ ଗୋପାଳପୁର ଥାନା ଅଞ୍ଚଳରେ ୪ ବର୍ଷର ଜଣେ ଶିଶୁ କନ୍ୟାଙ୍କୁ ବସରେ ବଳାତ୍କାର କରାଯାଇଥିଲା। ଏହି ମାମଲାରେ ବସ୍‌ ଚାଳକ ଓ ହେଲ୍‌ପରଙ୍କୁ ଗିରଫ କରିଥିଲେ ଓ ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ହୋଇଛି । ତେବେ ଗତ ୩ ତାରିଖରେ ଗୋଳନ୍ଥରା ଅଞ୍ଚଳରେ ୨ ନାବାଳିକା ଭଉଣୀଙ୍କୁ ଗଣବଳାତ୍କାର କରାଯାଇଥିଲା, ଯେଉଁଠି ୪ ଅଭିଯୁକ୍ତ ଗିରଫ ହୋଇଥିଲେ ।

ଏହି ସମସ୍ତ ଘଟଣା ସ୍ଥାନୀୟ ବେଳାଭୂମି ଓ ପାଖାପାଖି ଅଞ୍ଚଳରେ ପାଟ୍ରେଲିଂ କଢ଼ାକଡ଼ି ନହେବା ଅଭିଯୋଗକୁ ସାମ୍ନାକୁ ଆଣିଛି।

Related Articles

Back to top button
WP Twitter Auto Publish Powered By : XYZScripts.com