୨୦ ଦିନରୁ ଊର୍ଦ୍ଧ୍ୱ ବିଏସ୍ଏନ୍ଏଲ ସେବା ଅଚଳ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୭: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଗତ ୨୦ ଦିନରୁ ଊର୍ଦ୍ଧ୍ୱ ହେବ ବିଏସ୍ଏନ୍ଏଲର ମୋବାଇଲ ନେଟ୍ଓ୍ବର୍କ ସେବା ଅଚଳ ହୋଇପଡ଼ିଛି। ଫଳରେ ଉପଭୋକ୍ତାମାନେ ହଇରାଣ ଭୋଗୁଛନ୍ତି। ମୋବାଇଲ ସେବା ଅଚଳ ଯୋଗୁ ଗ୍ରାହକ ସେବାକେନ୍ଦ୍ର ସମେତ କ୍ଷୁଦ୍ର ବ୍ୟାଙ୍କ, ଅନ୍ଲାଇନ କାର୍ଯ୍ୟ ସମେତ ଲୋକଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଗତ ୨୦୦୮ରୁ ସ୍ଥାପନ ହୋଇଥିବା ଏହି ସେବା ଏବେ ପୂର୍ବପେକ୍ଷା ଅଧିକ ସମୟ ଅଚଳ ହୋଇପଡୁଛି। ଦୀର୍ଘ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବିଏସ୍ଏନ୍ଏଲ୍ର ଜେନେନେଟର ଅଚଳ ହୋଇପଡ଼ିଥିବା ବେଳେ ତାକୁ ମରାମତି କରାଯାଉନାହିଁ କି ନୂତନ ଜେନେନେଟର ସ୍ଥାପନ କରାଯାଉନାହିଁ।
ସେହିପରି ବିଏସ୍ଏନ୍ଏଲ୍ ଟାଓ୍ବାର ଓ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ୫-ଜି ଜିଓ ନେଟ୍ଓ୍ବର୍କ ମିଳିତ ସଂଯୋଗ କରାଯାଇଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ହେଲେ ବିଏସ୍ଏନ୍ଏଲର ୪-ଜି ଏବଂ ଜିଓ ୫-ଜିକୁ ମଧ୍ୟ ଜେନେନେଟର ଅଚଳ ଯୋଗୁ ବନ୍ଦ କରିଦିଆଯାଉଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏବେ ବିଏସ୍ଏନ୍ଏଲ୍ ନେଟ୍ଓ୍ବର୍କ ଏତେଦିନ ମରାମତିରେ ବିଳମ୍ବ ଯୋଗୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ବାଧାସୃଷ୍ଟି ହୋଇଛି। ଏନେଇ ବିଭାଗର କନ୍ଧମାଳ ଡିଜିଏମ୍ ବୃନ୍ଦାବନ ମାଝୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ।