
ଭୁବନେଶ୍ୱର ୨४/ଜୁଲାଇ : ଅନାସ୍ଥା ପ୍ରସ୍ତାବକୁ ନେଇ ଓଡ଼ିଶାର ରାଜନୀତି ଏବେ ତୀବ୍ର ଗତି ନେଇଛି। ଜୟପୁର ବିଧାୟକ ଓ କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି କହିଛନ୍ତି ଯେ, ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ କଂଗ୍ରେସ ପାଖରେ ପ୍ରୟାପ୍ତ ସଂଖ୍ୟା ଅଛି ୧୪ ବିଧାୟକ ସହ ଜଣେ ସିପିଆଇ ବିଧାୟକ ବି ଅଛନ୍ତି। ସେ କଠୋର ଭାବେ ଚେତାବନୀ ଦେଇଛନ୍ତି ଯେ, ଯଦି ବିଜେଡି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ନକରି, ତେବେ ସେମାନଙ୍କ ଭାଜପା ସହ ସଂଯୋଗ ସ୍ପଷ୍ଟ ହେବ। ଏହାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବିଜେଡି ଉପରେ ଚାପ ବଢ଼ାଇ ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ମଧ୍ୟ କେନ୍ଦ୍ର ବିନ୍ଦୁ କରି ସରକାର ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ନ୍ୟାୟିକ ତଦନ୍ତ ଓ ମହିଳା କମିଶନ ଗଠନ ପାଇଁ ଦାବି କରି, ସରକାରଙ୍କ ନୀରବ ଭୂମିକାକୁ ଲଞ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି। ଅନ୍ୟପଟେ, ବିଜେଡି ମଧ୍ୟ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି। ଦଳର ଅନେକ ନେତା ଏଫଏମ୍ କଲେଜ ଛାତ୍ରୀଙ୍କ ନ୍ୟାୟ ପାଇଁ ଆନ୍ଦୋଳନ କରିଛନ୍ତି, ଲୋକସେବା ଭବନ ଘେରାଉ ଓ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ ବି କରାଯାଇଛି। ଏହି ଘଟଣାକୁ ନେଇ ଏକ ଏକ୍ସ ପୋଷ୍ଟରେ କହାଯାଇଛି ଯେ, ଯେଉଁ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବେନାହିଁ, ସେମାନେ ନୈତିକ ଭାବେ ଆନ୍ଦୋଳନରୁ ବାହାରିଯିବା ଉଚିତ। ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ବିଜେଡି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ଘୋଷଣା କରିନାହିଁ, ଯାହା ରାଜନୈତିକ ଅନିଶ୍ଚୟତା ବଢ଼ାଇଛି। ଏହି ଘଟଣା ଓଡ଼ିଶାର ରାଜନୈତିକ ପରିବେଶକୁ ଉତ୍ତପ୍ତ କରିଛି, ଏବଂ ଆଗାମୀ ଦିନ ରାଜ୍ୟର ଶାସନ ପାଇଁ ଦିଗଦର୍ଶକ ସାବିତ ହେବ।