Metro contract cancelled due to delay in work

ଭୁବନେଶ୍ବର ୨୬/ଜୁଲାଇ : ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ନେଇ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟାନ୍ୱୟରେ ବିଳମ୍ବ ଓ ନିୟମ ଅନୁଯାୟୀ କ୍ଷତିପୂରଣ ନ ଦେବା ଦୁଇ ମୁଖ୍ୟ କଂପାନି CEGIL ଇଣ୍ଡିଆ ଲିମିଟେଡ୍ ଓ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ ବିରୁଦ୍ଧରେ ଅଭିଯୋଗ ଆଣି ପୁରୁଣା କଣ୍ଟ୍ରାକ୍ଟ ବାତିଲ୍ କରାଯାଇଛି। ଏହି କଠୋର ପଦକ୍ଷେପ ମାଧ୍ୟମରେ ଓଡ଼ିଶା ସରକାର ପ୍ରକଳ୍ପକୁ ତ୍ୱରାନ୍ୱିତ ଓ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟାନ୍ୱୟ କରିବା ନେଇ ଗମ୍ଭୀର ଚେଷ୍ଟା କରୁଛନ୍ତି। ଏହା ସହିତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ ସବ୍-କମିଟିର ପ୍ରଥମ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏଥିରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ ସ୍ପଷ୍ଟ ନିଷ୍ପତ୍ତି ନ ହୋଇଥିବା ସୂଚିତ ହୋଇଛି। ଏହି ବୈଠକରେ ମେଟ୍ରୋ ରେଳ ପାଇଁ ଏଲିଭେଟେଡ୍ କିମ୍ବା ଅଣ୍ଡରଗ୍ରାଉଣ୍ଡ କରିଡର, ଓ ମେଟ୍ରୋ ରୁଟ୍ର ଅଞ୍ଚଳ ବିଷୟରେ କୌଣସି ଚୂଡାନ୍ତ ନିଷ୍କର୍ଷ ଆସିନଥିଲା। ବୈଠକ ଅଧିକତର ଆଲୋଚନା ଭୁବନେଶ୍ବର ସହରର ଟ୍ରାଫିକ ଭିଡ଼ କମାଇବା, ଗତିଶୀଳ ଗମନାଗମନ ନୀତି, ରେଳ ଓ ସଢ଼କ ଯୋଗ ଉପରେ କେନ୍ଦ୍ରିତ ଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣାଧୀନ ସଡ଼କ ଓ ଫ୍ଲାଏଓଭର ପ୍ରକଳ୍ପ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଆଗାମୀ ୨୦ ବର୍ଷ ପାଇଁ ଏକ ଦୃଢ଼ ଗମନାଗମନ ଢଞ୍ଚା ତିଆରି କରିବା ଦିଗରେ ସରକାର ଅଗ୍ରସର ହେଉଛି।