ପ୍ରକୃତି କୋପରୁ ରକ୍ଷା ପାଇଁ ବୃକ୍ଷରୋପଣ ଜରୁରୀ

ଭୁବନେଶ୍ୱର , ଦିନକୁ ଦିନ ଅଶାନ୍ତ ହେଉଛି ପ୍ରକୃତି । ପ୍ରକୃତିର କୋପରୁ ରକ୍ଷା ପାଇବାକୁ ହେଲେ ବ୍ୟାପକ ମାତ୍ରାରେ ବୃକ୍ଷରୋପଣ ଜରୁରୀ ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ଶଙ୍କରାଖୋଲ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ବିଧାୟକ, ଉମାଚରଣ ମଲିକ କନ୍ଧମାଳ ଭଳି, ପ୍ରାକୃତିକ ଶୋଭାଭରା ଜିଲ୍ଲାରେ ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁଁ ନାନ୍ନା ପ୍ରକାର ପରିବେଶ ଅସନ୍ତୁଳନ ଦେଖା ଦେଇଛି।
କନ୍ଧମାଳ ଜିଲ୍ଲାରେ ଭୂତଳ ଜଳସ୍ତର ମଧ୍ୟ ଉଦ୍ବେଗଜନକ ଭାବେ ହ୍ରାସ ପାଇବା ସହ ତାପମାତ୍ରା ବୃଦ୍ଧି ପାଇଛି।ଦ୍ରୁତ ଜଙ୍ଗଲ କ୍ଷୟ ଯୋଗୁଁ ଦେଖା ଦେଉଥିବା ‘ଗ୍ଲୋବାଲ୍ ୱାର୍ମିଂ’ ମଣିଷ ଜାତି ପାଇଁ ବଡ଼ ଆହ୍ବାନ ପାଲଟିଛି। ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟ ରୋକିବା ଏବଂ ପରିବେଶ ସଚେତନତା ନେଇ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମକୁ ବିଧାୟକ ଉଚ୍ଚ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ‘ସମ୍ବାଦ’ର କନ୍ଧମାଳ ଜିଲ୍ଲା ପ୍ରତିନିଧି ଡ. ରଞ୍ଜନ ପ୍ରଧାନ ମଣିଷକୁ ଆତ୍ମଚିନ୍ତନ କରିବାକୁ ପଡ଼ିବ ଏବଂ ମଣିଷ ନିଜ ସ୍ବାର୍ଥ ସହିତ ପ୍ରକୃତି ଓ ପରିବେଶ କଥା ଚିନ୍ତା କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପ୍ରଧାନ ପଲିଥିନ ଓ ପ୍ଲାଷ୍ଟିକ ଭଳି ବର୍ଜ୍ୟବସ୍ତୁର ବ୍ୟବହାର ରୋକିବା ଦିଗରେ ଗୁରୁତ୍ବାରୋପ କରିଥିଲେ।