ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ପରଲୋକରେ ରାଜ୍ୟ ବିଜେପିର ଶୋକ
କରେନ୍ଦ୍ର ମାଝୀଙ୍କ ବିୟୋଗ ରାଜ୍ୟ ତଥା ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି: ମନମୋହନ ସାମଲ

ଭୁବନେଶ୍ୱର,୨୫/୦୮/୨୦୨୫: ବାଲିଗୁଡ଼ାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା କରେନ୍ଦ୍ର ମାଝୀଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକବ୍ୟକ୍ତ କରାଯାଇଛି।
ସ୍ୱର୍ଗତ ମାଝୀ ବିଜେପି ଦଳରୁ ୨୦୦୪ ଓ ୨୦୦୯ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କୁଟିଆ କନ୍ଧ ଆଦିବାସୀ ସମ୍ପ୍ରଦାୟର ସେ ଜଣେ ଜଣାଶୁଣା ନେତା ଥିଲେ। ବିଜେପିକୁ ତୃଣମୂଳସ୍ତରରୁ ସଙ୍ଗଠିତ କରି ମଜ୍ବୁତ୍ କରିବାରେ ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇରହିବ। ସେ ସବୁବେଳେ ଦୁର୍ଗମ ଗ୍ରାମାଂଚଳର ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଥିଲେ। ତାଙ୍କ ତ୍ୟାଗ ଓ ଉତ୍ସଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ।
ତାଙ୍କ ବିୟୋଗରେ ରାଜ୍ୟ ତଥା ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ସ୍ୱର୍ଗତଃ ମାଝୀଙ୍କ ପାର୍ଥୀବ ଶରୀର ପହଂଚିବା ପରେ ରାଜ୍ୟ ସଭାପତି ଶ୍ରୀ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ରବି ନାରାୟଣ ନାଏକ, କୃଷ୍ଣଚନ୍ଦ୍ର ପାତ୍ର, ନିତ୍ୟାନନ୍ଦ ଗଣ୍ଡ, ମୁକେଶ ମହାଲିଙ୍ଗ, କୃଷ୍ଣଚନ୍ଦ୍ର ମହାପାତ୍ର, ଗଣେଶ ରାମ ସିଂ ଖୁଂଟିଆ, ଗୋକୂଳାନନ୍ଦ ମଲ୍ଲିକ, ପୂର୍ବତନ ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସାଂସଦ ବଳଭଦ୍ର ମାଝୀ, ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଦିଲୀପ ମହାନ୍ତି, ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତା ମହେଶ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ସମେତ ବିଜେପି ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ସ୍ୱର୍ଗତଃ ମାଝୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।