
ଭୁବନେଶ୍ୱର,ସବୁବର୍ଷ ଭଳି ଏଥର ବି ଦେଶର ବୀର ଯବାନମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସେଲିବ୍ରେଟ୍ କରିଛନ୍ତି ଦିୱାଲି। ଏଥର ଦୀପାବଳି ପାଳିବାକୁ ଗୋଆ ଏବଂ କରୱାର ଉପକୂଳ ମଝି ଦରିଆକୁ ବାଛିଥିଲେ ମୋଦି । ଯେଉଁଠି ଆଇଏନଏସ ବିକ୍ରାନ୍ତ ଉପରେ ଆୟୋଜିତ ହୋଇଥିଲା ସ୍ପେଶାଲ୍ ଦୀପାବଳି ଉତ୍ସବ। ଆଇଏନଏସ ବିକ୍ରାନ୍ତ ପିଠିରୁ ଉଡ଼ାଣ ଭରି ପରାକ୍ରମ ଦେଖାଇଥିଲେ ମିଗ୍-29K ଓ ଅନ୍ୟ ଯୁଦ୍ଧବିମାନ।
ଦମଦାର୍ ଏୟାର ଶୋ ସହିତ ଆକାଶରେ ଫାଇଟରରୁ ଫୁଟିଥିଲା ବାଣ। ଆଉ ତାପରେ ଯବାନଙ୍କ ସହିତ ବିଶେଷ ଦୀପାବଳି ପାଳିଥିଲେ ମୋଦି। ଯବାନଙ୍କୁ ନିଜ ପରିବାର ବୋଲି କହିବା ସହିତ ସମସ୍ତଙ୍କୁ ମିଠାଇ ଖୁଆଇ ପିଏମ୍ କହିଥିଲେ ହାପି ଦିଓ୍ୱାଲି । ମାନବ ସେବାରେ ଭାରତୀୟ ସେନା ବାହିନୀର ସମର୍ପିତ ସେବାକୁ ପ୍ରଶଂସା କରିବା ସହ ସେମାନଙ୍କ ସାହସକୁ ସାବାସୀ ଦେଇଥିଲେ ।
ଆତଙ୍କବାଦ ହେଉ କି ମାଓବାଦ । ସମୁଦ୍ର ଭିତରୁ ଶତ୍ରୁକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ୍ ସିନ୍ଦୂର କଥା ଉଠାଇ ପାକିସ୍ତାନକୁ କଡ଼ା ଭର୍ତ୍ସନା କରିଛନ୍ତି ପୁଣି ନକ୍ସଲକୁ ନାଲି ଆଖି ଦେଖାଇଛନ୍ତି । ମୋଦି କହିଛନ୍ତି, ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ପୂର୍ବରୁ ମାଓବାଦୀଙ୍କ କବଳରେ ୧୨୫ ଜିଲ୍ଲା ଥିବାବେଳେ ଏବେ ମାତ୍ର ୩ରେ ସୀମିତ। ସୁରକ୍ଷା ବାହିନୀର ବୀରତ୍ୱ ଯୋଗୁଁ ମାଓ ହିଂସା ବିରୁଦ୍ଧରେ ମିଳିଛି ଉଲ୍ଲେଖନୀୟ ସଫଳତା। ସେହିଭଳି INS ବିକ୍ରାନ୍ତର ବିଶେଷ-ପ୍ରତିଭା ଓ ପ୍ରତିବଦ୍ଧତା କଥା କହି ନୌସେନାକୁ ପ୍ରଶଂସା କରିଛନ୍ତି ମୋଦି। ପାକିସ୍ତାନକୁ ଆଇଏନସ୍ ବିକ୍ରାନ୍ତର ଭୟ ଦେଖାଇବା ସହିତ ‘ବ୍ରହ୍ମୋସ’ ନାଁରେ ଛିଗୁଲାଇଛନ୍ତି ପିଏମ୍।