
ଭୁବନେଶ୍ୱର, ତା.୨୭/୧୦/୨୦୨୫ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ‘ମୋନ୍ଥା’ ଭୀଷଣ ବାତ୍ୟା ରୂପ ନେଇ ୨୮ ତାରିଖ ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ପବନ ସହିତ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ମୋନ୍ଥା ବାତ୍ୟା ପ୍ରଭାବରେ ବିଶେଷ ଭାବେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ସମେତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବ । ଏହି ସମୟରେ ଭୟଭୀତ ନହୋଇ ଧର୍ଯ୍ୟର ସହ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଓଡିଶାବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପରାମର୍ଶ ଦେଇଛନ୍ତି ।
ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ବାତ୍ୟା ପ୍ରଭାବିତ ଅଂଚଳଗୁଡିକରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସଂପୂର୍ଣ୍ଣ ସେବା ଓ ସମର୍ପଣ ମନୋଭାବ ସହିତ ଉଦ୍ଧାର ଏବଂ ସହାୟତା କାର୍ଯ୍ୟରେ ସାମିଲ ହେବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସଫଳ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭନ୍ନ ପଦକ୍ଷେପ ନିଆଯାଇଛି । ବାତ୍ୟାବେଳେ ଜିରୋ କାଜୁଆଲିଟି ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାବେଳେ ସେବା, ସହାୟତା, ରିଲିଫ କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି । ବାତ୍ୟା ପୂର୍ବରୁ ଜନସାଧାରଣ ଓ ପ୍ରାଣୀ ସଂପଦକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଶୁଖିଲା ଓ ରନ୍ଧା ଖାଦ୍ୟ ବଂଟନ, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା କାର୍ଯ୍ୟରେ ପ୍ରଶାସନ ଓ ସରକାରଙ୍କୁ କାର୍ଯ୍ୟକର୍ତାମାନେ ସହଯୋଗ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।




