ଓଡ଼ିଶା

SCSTRTI ଠାରେ ଜନଜାତୀୟ ଗୌରବ ଦିବସ ପାଳିତ

ସେବା ସମ୍ମାନ ପ୍ରଦାନ, ଛାତ୍ରଛାତ୍ରୀ ହେଲେ ପୁରସ୍କୃତ

ଭୁବନେଶ୍ବର, ୧୫/୧୧/ ୨୦୨୫ : ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI)ଠାରେ ଜନଜାତୀୟ ଗୌରବ ବର୍ଷ ପଖୱାଡା ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀ ଲକ୍ଷ୍ମଣ କୁମାର ମଲ୍ଲିକ, SCSTRTI ନିର୍ଦ୍ଦେଶକ ଶ୍ରୀ ସୁଧାକର ଶବର, ଦେଶିଆ ଭାଷା ଗବେଷକ ତଥା ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ବିଜୟ ଉପାଧ୍ୟେୟ, ରାଜଧାନୀ କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ମନ୍ମଥ କୁଣ୍ଡୁ, ଛତ୍ରପୁର ସରକାରୀ ବିଜ୍ଞାନ କେଲଜ ଅଧ୍ୟକ୍ଷ ପ୍ରଫେସର ଅଜୟ କୁମାର ତ୍ରିପାଠୀ, SCSTRTI ଉପନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିବୃନ୍ଦ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ସଂଘର୍ଷ, ସାହାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଫେସର ଉପାଧ୍ୟେୟ ମୟୂରଭଞ୍ଜରୁ ମାଲକାନାଗିରି ଯାଏଁ ସଂଗଠିତ ଆଦିବାସୀ ବିଦ୍ରୋହ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶାରେ ଆଦିବାସୀ ବିଦ୍ରୋହର ପରମ୍ପରା ରହି ଆସିଥିବା ସେ ସୂଚନା ଦେଇଛନ୍ତି । ସେହିପରି ପ୍ରଫେସର କୁଣ୍ଡୁ ଭଗବାନ ବିର୍ସା ମୁଣ୍ଡାଙ୍କ ଆନ୍ଦୋଳନକୁ କେବଳ ଉପନିବେଶବାଦ, ଜମିଦାର ବିରୋଧରେ ଆନ୍ଦୋଳନ ବୋଲି କହି ନଥିଲେ ବରଂ ଏହା ସାମାଜିକ, ଅର୍ଥନୈତିକ ଅନ୍ୟାୟ ବିରୋଧରେ ଆନ୍ଦୋଳନ ବୋଲି କହିଛନ୍ତି । ପ୍ରଫେସର ତ୍ରିପାଠୀ ଭଗବାନ ବିର୍ସାମୁଣ୍ଡାଙ୍କ ଜୀବନୀକୁ ଅତି ଚମତ୍କାର ରୂପେ ବର୍ଣ୍ଣନା କରିଥିଲେ ।

ବିର୍ସା ମୁଣ୍ଡାଙ୍କ ଆଦର୍ଶକୁ ସମସ୍ତେ ନିଜ ନିଜ ଜୀବନରେ ଅନୁସରଣ କରିପାରିଲେ ଜନଜାତୀୟ ଦିବସ ପାଳନ ସଫଳ ହେବ ବୋଲି ସେ ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ଶ୍ରୀ ଶବର । ସେହିପରି ଅନୁସୂଚିତ ଜାତି ନିର୍ଦ୍ଦେଶକ ଶ୍ରୀ ମଲ୍ଲିକ ବ୍ରିଟିଶରାଜ୍ ବିରୋଧରେ ଭଗବାନ ବିର୍ସା ମୁଣ୍ଡାଙ୍କ ଆନ୍ଦୋଳନକୁ ଆଦିବାସୀଙ୍କ ସମୃଦ୍ଧ ଐତିହ୍ୟ ଓ ସାହାସର ପ୍ରତୀକ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜନଜାତୀୟ ଗୌରବ ବର୍ଷ ଉତ୍ସବ ପାଳନ ୧ ନଭେମ୍ବରରୁ ୧୫ ନଭେମ୍ବର ଯାଏଁ ସମଗ୍ର ଦେଶରେ ପାଳନ କରାଯାଉଛି । ଭାରତର ସମୃଦ୍ଧ ଆଦିବାସୀ ଐତିହ୍ୟ, ସଂସ୍କୃତି ଏବଂ ରାଷ୍ଟ୍ର ନିର୍ମାଣରେ ଅବଦାନକୁ ସମ୍ମାନିତ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଉଛି । ଏହିକ୍ରମରେ ଆଜି ଭଗବାନ ବିର୍ସାମୁଣ୍ଡାଙ୍କ ସ୍ମୃତିରେ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିସହ ବିଭିନ୍ନ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହୋଇଥିବା ଚିତ୍ରକଳା ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ଜନଜାତୀୟ ଗୌରବ ବର୍ଷ ପାଳନର ଏକ ଅଂଶ ଭାବରେ SCSTRTI ଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ସେବା ସମ୍ମାନ ପ୍ରଦାନ କରାଯାଇଛି । ପ୍ରତିଷ୍ଠାନରେ ପ୍ରତିଦିନ କାମ କରୁଥିବା ପିଅନ, ସିକ୍ୟୁରିଟି ଗାର୍ଡ, ମାଳି, ଇଲେକ୍ଟ୍ରିସିଆନ୍ ଆଦିଙ୍କୁ ସମ୍ମାନିତ କରାଯାଇଛି ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (SCSTRTI) ଏବଂ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ସ୍ୱତନ୍ତ୍ର ଭଗବାନ ବିର୍ସା ମୁଣ୍ଡା ପ୍ୟାଭିଲିୟନ, ବିର୍ସା ମୁଣ୍ଡାଙ୍କ ଜୀବନ ଏବଂ ସଂଘର୍ଷ ଆଧାରିତ ଚିତ୍ରକଳା ପ୍ରଦର୍ଶନୀ, ଓଡ଼ିଶା ରାଜ୍ୟର ଜନଜାତି ସମୁଦାୟଙ୍କ ଜୀବନ ଓ ସଂସ୍କୃତି ଆଧାରିତ ଫଟୋ ପ୍ରଦର୍ଶନୀ, କୁଲିସ୍ ଜନଜାତିଙ୍କ ଦ୍ୱାରା ବସ୍ତ୍ର ତିଆରି କଳାର ପ୍ରଦର୍ଶନୀ, ଜୁଆଙ୍ଗ ଜନଜାତି ମାନଙ୍କ ଦ୍ୱାରା ଚିତ୍ରକଳା ପ୍ରଦର୍ଶନୀ ଏବଂ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ଜନଜାତି ସଂଘ୍ରହାଳୟ ବୁଲି ଦେଖିବାର କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜନ କରାଯାଇଥିଲା ।

 

 

Related Articles

Back to top button