୧୭ରେ ଭୁବନେଶ୍ଵରରେ ଜାତୀୟ ମାନବ ସମ୍ବଳ (HR) ସମ୍ମିଳନୀ

ଭୁବନେଶ୍ଵର,୧୫|୧୧: ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୧୭ରେ ଭୁବନେଶ୍ଵରରେ ଜାତୀୟ ମାନବ ସମ୍ବଳ (HR) ସମ୍ମିଳନୀ ଅନୁଷ୍ଠିତ ହେବ |
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ୨୫ରୁ ଅଧିକ ବକ୍ତା ଓ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ ବୋଲି ଆୟୋଜକ କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି |
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ଜାତୀୟ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲ କହିଛନ୍ତି ଯେ ଏହି ଫାଉଣ୍ଡେସନ କେବଳ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ଦେଶରେ ଏକ ପ୍ରମୁଖ ସଂଗଠନ ଭାବେ କଳା, ସଂସ୍କୃତି ଓ ସାମାଜିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି | ଆସନ୍ତା ଜାତୀୟ ମାନବ ସମ୍ବଳ ସମ୍ମିଳନୀରେ ବହୁ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଅତିଥି ରୂପେ ଯୋଗଦେବେ |
ଦୁଇଟି ଅଧିବେଶନରେ ବହୁ ଜାତୀୟ ସ୍ତରୀୟ ବକ୍ତା ଓ ବିଶେଷଜ୍ଞ ଯୋଗଦେଇ ପ୍ରତିଭାର ବିକାଶ, ଏଆଇ ଯୁଗରେ ମାନବ ସମ୍ବଳ ଓ ଏହାର ବିଭିନ୍ନ ଦିଗ ପ୍ରସଙ୍ଗରେ ମାନସମନ୍ଥନ କରିବେ | ସମ୍ମିଳନୀରେ ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାର, ଓଡିଶାକୁ ଶ୍ରେଷ୍ଠ ସିଏସ୍ଆର୍ ପୁରସ୍କାର ପ୍ରଦାନ କରାଯିବ |
ଏଥିସହ ଓଡ଼ିଶାର କଳା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯିବ ବୋଲି ଇଂ. ସାମଲ ସୂଚନା ଦେଇଛନ୍ତି | ସମ୍ମିଳନୀରେ ପ୍ରଦର୍ଶନୀ, ସ୍ମରଣିକା ଉନ୍ମୋଚନ ଏବଂ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ |
ଆଜିର ସାମ୍ବାଦିକ ସମ୍ମିଳନୀରେ ଇଂ. ସାମଲଙ୍କ ସହ ମନୋଜ ପାଣିଗ୍ରାହୀ, ବିଜୟ କୁମାର ସାମଲ, ମନୋରଞ୍ଜନ ରଥ, ବିଜୟ କୁମାର ମିଶ୍ର, ରବିନାରାୟଣ ସାହୁ, ଶିବପ୍ରସାଦ ଦାସ, ସନ୍ତୋଷ ରାଉତ ଏବଂ ମୁଖ୍ୟ ସଂଯୋଜିକା ଜାଗୃତି ଦାସ ପ୍ରମୁଖ ଉପସ୍ଥିତ ଥିଲେ |




