
ଭୁବନେଶ୍ୱର ,ନୂଆପଡ଼ାରେ ଶୋଚନୀୟ ପରାଜୟ ପରେ, ସୋସିଆଲ ମିଡିଆରେ ଜଣଙ୍କ ପରେ ଜଣେ ନେତ୍ରୀ ଓ କର୍ମୀ ବିଷୋଦଗାର କରୁଛନ୍ତି।ଆଉ ଏହାକୁ ନେଇ ବିଜେଡିକୁ ପୁଣି ବାଣ ମାରିଛନ୍ତି ଶ୍ରୀମୟୀ ମିଶ୍ର।ଏବେ କେତେ ଆଉ କାହାକୁ ନିଲମ୍ବନ କରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ। ସେହିଭଳି ପଳାସପଲ୍ଲୀ ଘର ଓ ଆମେରିକା ଗସ୍ତ କଥା ଉଠାଇ ପାଣ୍ଡିଆନଙ୍କୁ ପରୋକ୍ଷରେ ଶ୍ରୀମୟୀ ବାଣ ମାରିଛନ୍ତି। ଲେଖିଛନ୍ତି, ନିର୍ବାଚନ ହାରିବା ପରେ Team Virus ନେତା ଶଙ୍ଖ ଭବନ ମାଡ଼ୁନାହାନ୍ତି କି ସମୀକ୍ଷା ବି କରୁନାହାନ୍ତି। କେମିତି ଆତ୍ମରକ୍ଷା କରିବେ ସେନେଇ ବାଟ ଖୋଜୁଛନ୍ତି। ଭଣ୍ଡଙ୍କ ପାଇଁ ଓକିଲାତିର ଫନ୍ଦିଫିକର ବି କରାଯାଉଛି।ବିଜେଡି ନେତ୍ରୀ ଏଲିନା ଦାସ ଓ ମୀରା ପରିଡ଼ା ବି ଉଠାଇଲେଣି ପ୍ରଶ୍ନ।
ସେପଟେ ଏଲିନା ଲେଖିଛନ୍ତି, ଧାମନଗର ଉପ ନିର୍ବାଚନରୁ ବିଜେଡିର ପତନ ଆରମ୍ଭ ହୋଇଥିଲା। ସବୁରି ମୂଳରେ କ୍ରୀତଦାସ ଥିବା କହି, କଡ଼ା ଟାର୍ଗେଟ୍ କରିଛନ୍ତି ଏଲିନା। କୁଚକ୍ରୀ କୋଟେରୀ ଗ୍ରୁପ୍ ଭିତରୁ ଦଳକୁ ଉଦ୍ଧାର ପାଇଁ ସେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି। ଅନ୍ୟପଟେ ମୀରା ପରିଡ଼ା ମଧ୍ୟ ଆତ୍ମଘୋଷିତ ଗର୍ବୀ, ଅହଙ୍କାରୀ ନେତାଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ତମାମ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।




