
ଭୁବନେଶ୍ୱର,ଆଇନଜୀବୀମାନେ ଅଦାଲତରେ, ସମସ୍ତ ନୋଟିସ୍ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି ବାଢ଼ିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବ। ସେଥିପାଇଁ ସୁପ୍ରିମକୋର୍ଟ, ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଜାରି କରିଛନ୍ତି….ଅଦାଲତ ପରିଚାଳନାରେ ଉନ୍ନତି ଏବଂ ବେଞ୍ଚ୍ଗୁଡ଼ିକ ମଧ୍ୟରେ କାର୍ଯ୍ୟ ସମୟର ନ୍ୟାୟସଙ୍ଗତ ବଣ୍ଟନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଏହି ସର୍କୁଲାର ଜାରି ହୋଇଛି। ତଦନୁଯାୟୀ ବରିଷ୍ଠ ଆଇନଜୀବୀ ଏବଂ ଯୁକ୍ତି ବାଢ଼ିବାକୁ ଥିବା ଓକିଲ ମୌଖିକ ଯୁକ୍ତି ବାଢ଼ିବା ପାଇଁ କେତେ ସମୟ ଚାହାନ୍ତି, ତାହା ଆଗୁଆ ଜଣାଇବେ। ଅଦାଲତର ଅନ୍ଲାଇନ ଆପିଏରାନ୍ସ ସ୍ଲିପ୍ ପୋର୍ଟାଲରେ ଉକ୍ତ ସମୟସୀମା ଶୁଣାଣିର ଅନୂ୍ୟନ ଗୋଟିଏ ଦିନ ପୂର୍ବରୁ ରଖାଯିବା ଆବଶ୍ୟକ। କୋର୍ଟର ପ୍ରଭାବୀ ପରିଚାଳନାକୁ ପ୍ରୋତ୍ସାହିତ କରିବା ଏବଂ କାର୍ଯ୍ୟସମୟର ନ୍ୟାୟୋଚିତ ବଣ୍ଟନ ଫଳରେ ନ୍ୟାୟିକ ପ୍ରଶାସନ ତ୍ୱରିତ ଏବଂ ଉପଯୁକ୍ତ ହୋଇପାରିବ। ଏଥିସହିତ ସମସ୍ତ ବରିଷ୍ଠ ଆଇନଜୀବୀ ଏବଂ ଯୁକ୍ତି ରଖିବାକୁ ଥିବା ଓକିଲ ସ୍ବଳ୍ପ ଲିଖିତ ଆବେଦନ ବା ଆଇନଗତ କାଗଜାତ ଦାଖଲ କରିବେ, ଯାହା ୫ ପୃଷ୍ଠାରେ ସୀମିତ ରହିବ। ଶୁଣାଣି ତାରିଖର ଅନୂ୍ୟନ ୩ ଦିନ ପୂର୍ବରୁ ଏହାକୁ ଦାଖଲ କରିବାକୁ ପଡ଼ିବ ବୋଲି ସର୍କୁଲାରରେ କୁହାଯାଇଛି। ଏହି ନୋଟ୍ଗୁଡ଼ିକୁ ଆଡଭୋକେଟ-ଅନ୍ ରେକର୍ଡ କିମ୍ବା କୋର୍ଟଙ୍କ ଦ୍ୱାରା ନିଯୁକ୍ତ କୌଣସି ନୋଡାଲ କାଉନସିଲ୍ଙ୍କ ଜରିଆରେ ଦାଖଲ କରିବାକୁ ହେବ ଏବଂ ଏହାର ଏକ ନକଲ ପ୍ରତିପକ୍ଷଙ୍କୁ ଦେବାକୁ ହେବ ବୋଲି କୁହାଯାଇଛି।




