ଓଡ଼ିଶା

B.M.C.ର ପରିମଳ ପରିଚାଳନା ସମ୍ପର୍କିତ ସମୀକ୍ଷା ବୈଠକ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଭୁବନେଶ୍ୱର ମହାନଗର ନିଗମ (B.M.C.)କୁ ସ୍ୱଚ୍ଛ, ସବୁଜ ସୁନ୍ଦର କରିବା ପାଇଁ କମିଶନର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ପରିମଳ ପରିଚାଳନା କାର୍ଯ୍ୟର ସମୀକ୍ଷା କରାଯାଇଛି । ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ, ଜୋନାଲ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଓ୍ୱାର୍ଡର S.I., 20ଟି ଓ୍ୱାର୍ଡର 60ରୁ ଅଧିକ ସ୍ୱଚ୍ଛ ସୁପଭାଇଜର ଏବଂ ସାନିଟେସନ ଏଜେନ୍ସି ଆଓ୍ୱାରଲାଣ୍ଡ ଓ P.M.R.ର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ ।
ବର୍ଜ୍ୟ ପରିଚାଳନାରେ କେଉଁ କେଉଁ ସ୍ତରରେ ସମସ୍ୟା ରହୁଛି, କ’ଣ କ’ଣ ଅଭାବ ରହିଛି, କ’ଣ କଲେ ଆହୁରି ଭଲ ହୋଇପାରିବ ଏବଂ ବର୍ଜ୍ୟ ପରିଚାଳନା ସହଜ ହୋଇପାରିବ, ସେ ସଂପର୍କରେ ଅତିରିକ୍ତ କମିଶନର ଜଣ ଜଣ କରି ପଚାରି ବୁଝିଥିଲେ । ଲୋକଙ୍କ ସହିତ ସିଧାସଳଖ ଯୋଗଯୋଗ କରୁଥିବା ସ୍ୱଚ୍ଛ ସୁପରଭାଇଜର ତୁରନ୍ତ ଲୋକମାନଙ୍କର ସମସ୍ୟା ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସଂଗେ ସଂଗେ ଲୋକମାନଙ୍କର ବର୍ଜ୍ୟ ପରିଚାଳନା ସମ୍ପର୍କିତ ସମସ୍ୟାର ସମାଧାନ ହେଲେ, ଗୋଷ୍ଠୀ ସହଭାଗିତା ବୃଦ୍ଧି ପାଇବ । ଫଳରେ ଲୋକେ ସଚେତନ ହେବେ ।
ବିଭିନ୍ନ ସମୟରେ କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଭିନ୍ନ ଓ୍ୱାର୍ଡ ପରିଦର୍ଶନରେ ଯାଇ ପରିମଳ ପରିଚାଳନା ବ୍ୟବସ୍ଥାରେ ଥିବା ତୃଟିକୁ ସୁଧାରିବା ପାଇଁ ଦେଇଥିବା ମତାମତ, 1929, ହ୍ୱାଟ୍ସଆପ ଚାର୍ଟବୋଟ୍, ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର, ସାମାଜିକ ଗଣମାଧ୍ୟମ ଏବଂ BMC ସୋସିଆଲ ମିଡିଆରେ ଆସିଥିବା ବିଭିନ୍ନ ଅଭିଯୋଗ ତଥା ମତାମତ ସଂପର୍କରେ ଆଲୋନଚା କରାଯାଇଥିଲା ।
କାର୍ଯ୍ୟକ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ S.I., ସୁପରଭାଇଜର ଓ ଏଜେନ୍ସିମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । ପ୍ରତି ସପ୍ତାହରେ ମେଗା ଗଣସଫେଇ ସହ ଆବଶ୍ୟକସ୍ଥଳେ ଅଧିକ ଗାଡି ଓ ମାନବ ସମ୍ବଳ ଲଗାଇବାକୁ ଏଜେନ୍ସିମାନେ ସ୍ୱତଃପ୍ରବୃତ ଭାବେ କହିଛନ୍ତି । ମୁଖ୍ୟ ରାସ୍ତାଗୁଡିକ ସକାଳ 6ଟା ପୂର୍ବରୁ ଦୈନିକ ସଫେଇ ହେବ । ସେହିପରି କଂଜରଭେନ୍ସି ଲେନ୍ସଗୁଡିକୁ ଦିନେ ଛଡା ଦିନେ ସଫେଇ କରାଯିବ । BMC ଅଂଚଳର କୌଣସି ରାସ୍ତା, କଂଜରଭେନ୍ସି ଲେନ୍ସ ଆଦିରେ ଯେପରି ଟୁକୁଡା କାଗଜ, ପତ୍ର, ଗୁଟଖା ପ୍ୟାକେଟ୍ ଆଦି ବର୍ଜ୍ୟ ନ ପଡେ, ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କୁହାଯାଇଛି । ସେହିପରି ଡ୍ରେନଗୁଡିକରୁ ପଙ୍କୋଦ୍ଧାର କରି ସଂଗେ ସଂଗେ ସେଗୁଡିକୁ ସ୍ଥାନାନ୍ତର କରାଯିବ ।
ସ୍ୱଚ୍ଛତା ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ସପ୍ତାହରେ ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ କର୍ମୀଙ୍କୁ ନେଇ ବୈଠକ, ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପ୍ରତି ଓ୍ୱାର୍ଡରେ ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜରମାନେ ସ୍ୱଚ୍ଛତା ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କର ଭାଗିଦାରୀ ଏବଂ ଗୋଷ୍ଠୀ ସହଯୋଗ ପାଇଁ ଉଦ୍ୟମ କରିବେ । ଚଳିତ ମାସ 14 ତାରିଖ ସୁଦ୍ଧା କୌଣସି ଓ୍ୱାର୍ଡରେ ଯେପରି ବର୍ଜ୍ୟ ପ୍ରବଣ ସ୍ଥାନ (ଜିଭିପି) ନ ରୁହେ, ସେହି ଅନୁସାରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସମସ୍ତ S.I., ସ୍ୱଚ୍ଛ ସୁପରଭାଇଜର ଏବଂ ଏଜେନ୍ସିର କର୍ମକର୍ତ୍ତାଙ୍କୁ କୁହାଯାଇଛି ।
ଆବଶ୍ୟକ ପଡିଲେ ଅଧିକ ଲୋକ ଓ ଗାଡି ନିୟୋଜିତ, ପ୍ରତି ଓ୍ୱାର୍ଡରେ ଦୈନିକ ସଫା କରିବା ସହ ମାର୍କେଟ ଅଂଚଳରେ ଦିନକୁ ଦୁଇଥର ବର୍ଜ୍ୟ ସଂଗ୍ରହ କରିବାକୁ କୁହାଯାଇଛି । ଅନ୍ୟପକ୍ଷରେ ନାଇଟ୍ ସୁଇପିଂ ଶିଘ୍ର ଆରମ୍ଭ କରିବା ପାଇଁ ସମସ୍ତ ଏଜେନ୍ସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଜେନ୍ସିଗୁଡିକ ସହ ହୋଇଥିବା ଚୁକ୍ତିନାମା ଅନୁଯାୟୀ ସମସ୍ତ କାର୍ଯ୍ୟ ସୂଚାରୁରୂପେ କରାଯିବ ବୋଲି ଏଜେନ୍ସିର କର୍ମକର୍ତ୍ତାମାନେ ପ୍ରତିଶୃତି ଦେଇଛନ୍ତି ।

Related Articles

Back to top button