ପୁରୀରେ ଅଭାବନୀୟ ଘଟଣା: ଉକୁଣୀ ସଂକ୍ରମଣ ଯୋଗୁଁ ୧୨ ବର୍ଷିୟା ନାବାଳିକାର ମୃତ୍ୟୁ

ପୁରୀ,୦୯/୦୨/୨୦୨୬: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅତ୍ୟନ୍ତ ଦୁଃଖଦାୟକ ତଥା ଅଜବ ଘଟଣା ସାମ୍ନାକୁ ଆସିଛି। ମୁଣ୍ଡରେ ହୋଇଥିବା ଉକୁଣୀ ସଂକ୍ରମଣ କାରଣରୁ ଜଣେ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ଘଟିଛି। ମୃତକ ହେଲେ ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟା ସାହୁ, ଯିଏ କି ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।
ସୂଚନା ଅନୁଯାୟୀ, ଗତ କିଛି ମାସ ଧରି ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡରେ ପ୍ରବଳ ଉକୁଣୀ ହୋଇଥିଲେ। ପରିବାର ଲୋକେ ଏଥିପାଇଁ ଅନେକ ପ୍ରକାର ପ୍ରତିକାର କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଉକୁଣୀ ସଂକ୍ରମଣ ଏତେ ଭୟଙ୍କର ରୂପ ଧାରଣ କରିଥିଲା ଯେ, ଏହା ଧୀରେ ଧୀରେ ତାଙ୍କ ମୁଣ୍ଡର ଖପୁରୀକୁ ମଧ୍ୟ ପ୍ରଭାବିତ କରିଥିଲା।
ଗତ ୩ ଦିନ ତଳେ ଲକ୍ଷ୍ମୀପ୍ରିୟା ହଠାତ୍ ରକ୍ତବାନ୍ତି କରିବାରୁ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




