
ନୂଆଦିଲ୍ଲୀ,୧୦/୦୨/୨୦୨୬:ଭାରତୀୟ ବାୟୁସେନାର ସାମରିକ ସାମର୍ଥ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଆଉ ୧୧୪ଟି ରାଫାଲ୍ ଯୁଦ୍ଧ ବିମାନ କିଣିବାକୁ ପ୍ରସ୍ତୁତି ଚାଲିଛି। ଏହି ବିଶାଳ ପ୍ରକଳ୍ପ ପାଇଁ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱାଧୀନ ପ୍ରତିରକ୍ଷା କ୍ରୟ ପରିଷଦ (DAC) ନିକଟରେ ଖୁବଶୀଘ୍ର ପ୍ରସ୍ତାବ ଆଗତ କରାଯିବ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ ଆସନ୍ତା ଫେବୃଆରୀ ୧୫ରୁ ୧୭ ତାରିଖ ମଧ୍ୟରେ ହେବାକୁ ଥିବା ଭାରତ ଗସ୍ତ ପୂର୍ବରୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି।
ଏହି ପ୍ରସ୍ତାବିତ ଯୋଜନା ଅନୁଯାୟୀ, ମୋଟ ୧୧୪ଟି ବିମାନ ମଧ୍ୟରୁ ୧୮ଟି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଫ୍ରାନ୍ସରୁ ଆମଦାନୀ କରାଯିବ। ବାକି ୯୬ଟି ବିମାନ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଅଧୀନରେ ଘରୋଇ ଶିଳ୍ପ ସଂସ୍ଥାଗୁଡ଼ିକର ସହଯୋଗିତାରେ ଭାରତରେ ହିଁ ନିର୍ମାଣ କରାଯିବ। ଏହି ବୃହତ ପ୍ରତିରକ୍ଷା ଚୁକ୍ତି ପାଇଁ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ବ୍ୟୟ ହେବାର ଅଟକଳ କରାଯାଇଛି।
ବର୍ତ୍ତମାନ ଭାରତୀୟ ବାୟୁସେନା ପାଖରେ ୩୬ଟି ରାଫାଲ୍ ବିମାନ ରହିଛି, ଯାହା ନିଜର ଶକ୍ତିଶାଳୀ ଆକ୍ରମଣ କ୍ଷମତା ପାଇଁ ଜଣାଶୁଣା। ପୂର୍ବରୁ ‘ଅପରେସନ ସିନ୍ଦୂର’ ଭଳି ଗୁରୁତ୍ୱପୂର୍ଣ୍ଣ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଏହି ବିମାନଗୁଡ଼ିକ ପାକିସ୍ତାନ ସୀମା ମଧ୍ୟରେ ଥିବା ଆତଙ୍କବାଦୀ ଶିବିର ଏବଂ ଶତ୍ରୁପକ୍ଷର ପ୍ରତିରକ୍ଷା କେନ୍ଦ୍ରଗୁଡ଼ିକୁ ସଫଳତାର ସହ ଧ୍ୱଂସ କରି ନିଜର କରାମତି ଦେଖାଇ ସାରିଛନ୍ତି। ନୂତନ ବିମାନ ସାମିଲ ହେବା ପରେ ବାୟୁସେନାର ଆକାଶ ମାର୍ଗରେ ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଅଭେଦ୍ୟ ହେବ।




