ଓଡ଼ିଶାଜାତୀୟମନୋରଞ୍ଜନ

ଇଣ୍ଡିଆନ ଆଇଡଲ୍‌ ଫାଇନାଲରେ ନୀଳଗିରିର ସୁନାଝିଅ ଜ୍ୟୋତିର୍ମୟୀ; ଓଡ଼ିଶା ପାଇଁ ଆଣିଲେ ଗୌରବ

ନୀଳଗିରି, ୧୦/୦୨/୨୦୨୬: ଓଡ଼ିଶାର ସଙ୍ଗୀତ ଜଗତ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର। ସୋନି ଟିଭିର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ୍‌ – ୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ବାଲେଶ୍ୱର ଜିଲା ନୀଳଗିରିର ଜ୍ୟୋତିର୍ମୟୀ ନାୟକ। ନୀଳଗିରି ବ୍ଲକ ଜଡିଦା ପଞ୍ଚାୟତ ବାଉଁଶନାଳ ଗ୍ରାମର ଚକ୍ରଧର ନାୟକ ଓ ଗୌରୀମଣି ନାୟକଙ୍କ ଏକମାତ୍ର କନ୍ୟା ଜ୍ୟୋତିର୍ମୟୀ ପିଲାଟି ଦିନରୁ ସଙ୍ଗୀତ ପ୍ରତି ଗଭୀର ରୁଚି ରଖିଥିଲେ। ନିଜର ମଧୁର କଣ୍ଠସ୍ୱର ଓ ଚମତ୍କାର ପ୍ରଦର୍ଶନ ଜରିଆରେ ସେ ବିଚାରକଙ୍କ ମନ ଜିଣିବା ସହ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଜ୍ୟୋତିର୍ମୟୀ ପୂର୍ବରୁ ଓଡ଼ିଆ ଭାଷାରେ ୧୦୦୦ରୁ ଅଧିକ ଗୀତ ଗାଇ ସାରିଥିବା ବେଳେ ତାଙ୍କର ଏକ ସ୍ୱତନ୍ତ୍ର ସମାଜସେବା ମଧ୍ୟ ରହିଛି। ସେ କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ‘ମ୍ୟୁଜିକ ଥେରାପି’ ମାଧ୍ୟମରେ ଗୀତ ଗାଇ ସେମାନଙ୍କୁ ମାନସିକ ଶାନ୍ତି ଓ ଆନନ୍ଦ ପ୍ରଦାନ କରିଥାନ୍ତି। ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅନୁରକ୍ତ ଜ୍ୟୋତିର୍ମୟୀ ଇଣ୍ଡିଆନ ଆଇଡଲ୍‌ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।

ତାଙ୍କର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଚତୁର୍ଦ୍ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜ୍ୟୋତିର୍ମୟୀ ଫାଇନାଲରେ ବିଜୟ ମୁକୁଟ ପିନ୍ଧି ଓଡ଼ିଶା ତଥା ନୀଳଗିରି ପାଇଁ ଗୌରବ ଆଣନ୍ତୁ ବୋଲି ହଜାର ହଜାର ଓଡ଼ିଶାବାସୀ କାମନା କରୁଛନ୍ତି। ଅନ୍ୟପଟେ ତାଙ୍କର ମଙ୍ଗଳ କାମନା କରି ପରିବାର ପକ୍ଷରୁ ମନ୍ଦିରରେ ଅଖଣ୍ଡ ଦୀପ ଦାନ କରାଯାଇଛି।

Related Articles

Back to top button