
ଢେଙ୍କାନାଳ, ୧୧/୦୨/୨୦୨୬: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କାଇମାଟି ପଞ୍ଚାୟତର ଲୋଚାପଳି ଗ୍ରାମରେ ଘଟିଯାଇଛି ଏକ ହୃଦୟବିଦାରକ ଘଟଣା। ହାତୀ ଆକ୍ରମଣରେ ଅକାଳରେ ତିନି ଜଣ ପ୍ରାଣ ହରାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇବା ସହ ଏହି କଷ୍ଟକର ସମୟରେ ସେମାନଙ୍କ ପାଖରେ ରହିବାର ଆଶ୍ୱାସନା ଦେଇଛନ୍ତି।
ପୀଡ଼ିତ ପରିବାରକୁ ଭେଟିବା ସହ ପ୍ରତିନିଧି ଦଳ ପକ୍ଷରୁ ସେମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିବା ସହ ଏହି ଦୁଃଖଦ ଘଟଣା ସମ୍ପର୍କରେ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି। ବନ ବିଭାଗର ଚରମ ଅବହେଳା ଯୋଗୁଁ ତିନୋଟି ମୂଲ୍ୟବାନ ଜୀବନ ଚାଲିଗଲା ବୋଲି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦୋଷୀଙ୍କ ବିରୋଧରେ ତତ୍କାଳ ଯଥାଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହାତୀ-ମଣିଷ ଲଢ଼େଇର ଏକ ସ୍ଥାୟୀ ସମାଧାନ ପାଇଁ ଦୃଢ଼ ଦାବି କରାଯାଇଛି। ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାରୁ ବନ ବିଭାଗର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।




