ଓଡ଼ିଶାକୃଷିବାଣିଜ୍ୟ

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ; ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମିଳିବ କେନ୍ଦ୍ରୀୟ ସହାୟତା

ଭୁବନେଶ୍ୱର, ୧୨/୦୨/୨୦୨୬: ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଓ ନୂତନ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି କ୍ଷେତ୍ରରେ ଓମ୍ଫେଡ୍‌ର (OMFED) ସଫଳତାକୁ ନେଇ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ସମବାୟ ବିଭାଗ ଶାସନ ସଚିବ ଡକ୍ଟର ଆଶିଶ କୁମାର ଶହୀଦ ନଗରସ୍ଥିତ ଓମ୍ଫେଡ୍ ମୁଖ୍ୟାଳୟରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ। ଓମ୍ଫେଡ୍‌ର କାର୍ଯ୍ୟଶୈଳୀ ଏବଂ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗକୁ ଦେଖି ସେ ବେଶ୍ ଖୁସି ପ୍ରକଟ କରିବା ସହ ଆଗାମୀ ଦିନରେ ଏହାର ବିକାଶ ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ବୈଠକରେ ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ସଂସ୍ଥାର ବିଭିନ୍ନ ଉତ୍ପାଦ, ଦୁଗ୍ଧ ସଂଗ୍ରହ ପ୍ରକ୍ରିୟା ଏବଂ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ସଚିବଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କାର୍ଯ୍ୟକାରୀ ହେବା ପରେ ଦୁଗ୍ଧ ଉତ୍ପାଦନରେ ଯେଉଁ ଅଭିବୃଦ୍ଧି ଘଟିଛି, ତାହାକୁ କେନ୍ଦ୍ରୀୟ ଅଧିକାରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଗ୍ଧ ଚାଷୀମାନଙ୍କୁ ଅଧିକ ଲାଭବାନ କରିବା ଏବଂ ସରକାରୀ ଯୋଜନାଗୁଡ଼ିକୁ ସେମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।

ରାଜ୍ୟରେ ଦୁଗ୍ଧ ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଜାତୀୟ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ (NPDD) ଅଧୀନରେ ନୂତନ ସମବାୟ ସମିତି ଗଠନ କରିବାକୁ କେନ୍ଦ୍ର ସଚିବ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହି ବୈଠକରେ ରାଜ୍ୟ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଓମ୍ଫେଡ୍‌ର ଏହି ଅଗ୍ରଗତି ଆଗାମୀ ଦିନରେ ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Related Articles

Back to top button