ଅନ୍ତର୍ଜାତୀୟରାଜନୀତି

କଶ୍ମୀରରେ କାହିଁକି ହେଉନି ନିର୍ବାଚନ ? ପ୍ରଶ୍ନ ଉଠାଇଲା ଆମେରିକା, ଏମିତି ଉତ୍ତର ଦେଲେ ରାଜନୈତିକ ଦଳ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ କାହିଁକି ହେଉନି ନିର୍ବାଚନ ? ଏମିତି ପ୍ରଶ୍ନ ଦେଶର କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ପଚରା ଯାଇନାହିଁ। ବରଂ ଏହି ପ୍ରଶ୍ନ କରିଛି ଆମେରିକା। ଏପରିକି ଏହି ଦେଶ କଶ୍ମୀରରେ ମାନବାଧିକାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଆମେରିକାର ଏହି ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଜମ୍ମୁ-କଶ୍ମୀରର ଆଞ୍ଚଳିକ ଦଳ। କଶ୍ମୀରର ଦଳଗୁଡିକ କହିଛନ୍ତି, ଭାରତ ସରକାରଙ୍କୁ ଏହି ତ୍ରୁଟି ସୁଧାରି ଦେବା ଉଚିତ୍ ଏବଂ ତତ୍କାଳ ସୁଧାର ଦିଗରେ ପଦକ୍ଷେପ ନେବା ଉଚିତ୍। ସୂଚନାଯୋଗ୍ୟ, ନିୟର ଇଷ୍ଟ, ସାଉଥ ଏସିଆ, ସେଣ୍ଟ୍ରାଲ ଏସିଆ ଏବଂ କାଉଣ୍ଟର ଟେରୋରିଜିମ ଉପରେ ଆମେରିକା ସିନେଟର ସବ କମିଟି ମାର୍ଚ୍ଚ ୨ରେ ବୟାନ ଜାରି କରିଥିଲା।
ଏହି ବୟାନରେ ଆମେରିକା ସିନେଟ୍ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ନକରାଯିବା ନେଇ ପ୍ରଶ୍ନ ଉଠାଇଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ନ୍ୟାସନାଲ କନଫରେନ୍ସର ସାଂସଦ ହସନାନ ମସୁଦି କହିଛନ୍ତି, ଆମେ ଏହି ମାମଲାରେ ଭାରତ ସରକାରଙ୍କୁ ଚେତାବନୀ ଦେଉଛୁ ଯେ, ଏଠାକାର ଅବସ୍ଥାକୁ ଅଣଦେଖା କରିବା ଉଚିତ୍ ନୁହେଁ। ଭାରତ ଦୁନିଆର ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ର। କିନ୍ତୁ ୧.୩ ଜନସଂଖ୍ୟା ବିଶିଷ୍ଟ ଜମ୍ମୁ-କଶ୍ମୀରକୁ ସରକାରୀ ଅଧିକାରୀଙ୍କ ହାତରେ ଛାଡି ଦେବା ଉଚିତ୍ ନୁହେଁ। କେନ୍ଦ୍ର ସରକାରଙ୍କୁ ୨୦୧୯ ଅଗଷ୍ଟ ୫ରେ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ୍ ଏବଂ ଜମ୍ମୁ-କଶ୍ମୀର ଲୋକଙ୍କ ଭାବନାକୁ ସମ୍ମାନ କରିବା ଉଚିତ୍।
ମସୁଦି କହିଛନ୍ତି, ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଯିବା ଜରୁରୀ। ଆମେରିକା ପକ୍ଷରୁ ଯେଉଁ ବୟାନ ଆସିଛି ତାହାକୁ ଭାରତ ଏକ ସତର୍କ ଘଣ୍ଟି ଭାବେ ଗ୍ରହଣ କରିବା ଉଚିତ୍। ଶେଷ ଥର ଜମ୍ମୁ-କଶ୍ମୀରରେ ୨୦୧୪ ଡିସେମ୍ବରରେ ବିଧାନସଭା ନିର୍ବାଚନ ହୋଇଥିଲା। ପୁଣି ୨୦୧୫ ଆରମ୍ଭରେ ବିଜେପି ଏବଂ ପିଡିପି ମିଶି ସରକାର ଗଠନ କରିଥିଲେ। ମାତ୍ର ୨୦୧୮ ଜୁନରେ ବିଜେପି ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର ଘୋଷଣା କରିଥିଲା ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଏହା ପରେ ୨୦୧୯ରେ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରାଯାଇ ରାଜ୍ୟ ପୁନର୍ଗଠନରେ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com