ଜାତୀୟ

ଜବଲପୁର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ

ମଧ୍ୟ ପ୍ରଦେଶର ଏକ ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦ ଜଣଙ୍କ  ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଅଛନ୍ତି। ଜବଲପୁରର ଦମୋହ ନାକା ଶିବନଗର ସ୍ଥିତ ନ୍ୟୁ ଲାଇଫ ମଲ୍‌ଟି ସ୍ପେଶାଲିଟି ହସ୍ପିଟାଲ୍‌ରେ ନିଆଁ ଲାଗିଛି। ପ୍ରାୟ ଘଣ୍ଟାଏ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ବେସରକାରୀ ସୂତ୍ର ଅନୁସାରେ ଅଗ୍ନିକାଣ୍ଡରେ ଅନେକ ରୋଗୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ନିଆଁ ଲାଗିବା ପରେ ହସ୍ପିଟାଲରେ ଦୀର୍ଘ ସମୟ ଧରି ଧାଁ ଦଉଡ ଲାଗି ରହିଥିଲା। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପ୍ରାୟ ସାତ ଜଣ ମୃତଦେହ ହସ୍ପିଟାଲରୁ ବାହାର କରାଯାଇଛି। ହସ୍ପିଟାଲରେ କେତେ ରୋଗୀ ଭର୍ତ୍ତି ଥିଲେ ଏହାର ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ହସ୍ପିଟାଲର କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୧୦୦। ତେବେ ଅଗ୍ନିକାଣ୍ଡରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଆନୁଷ୍ଠାନିକ ସୂଚନା ମିଳିନାହିଁ। ଜବଲପୁର ଏସପି ସିଦ୍ଧାର୍ଥ ବହୁଗୁଣା କହିଛନ୍ତି, ଗୁରୁତର ଭାବେ ଜଳିଯିବା କାରଣରୁ ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏଥିସହ ତିନି ଜଣ ଗୁରୁତର ଭାବେ ଜଳି ଯାଇଛନ୍ତି। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ମୃତକଙ୍କ ଚିହ୍ନଟ ଜାରି ରହିଥିବା ଏସପି କହିଛନ୍ତି।ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କ ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପାଳଙ୍କୁ ଉଦ୍ଧାର କାର୍ଯ୍ୟ ତ୍ଵରାନ୍ଵିତ କରିବା ସହ ଆହତଙ୍କୁ ଉପଯୁକ୍ତ ସ୍ଵାସ୍ଥ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com