ଓଡ଼ିଶା

ରଥଖଳା ହାଲଚାଲ : ଦେବଦଳନ ରଥର ଗୋଟିଏ ଚକର ପଇରେ ଫାଟ, ବଦଳାଗଲା ତାଳଧ୍ଵଜ ରଥର ବଡ ଉଛଳା ଅଖ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ମାସେରୁ କମ୍ ସମୟ ରହିଲା । ଆସନ୍ତା ଜୁଲାଇ ୧ରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ଭକ୍ତଙ୍କ ମେଳରେ ରଥାରୂଢ଼ ହେବେ କାଳିଆ ସାଆନ୍ତ। ରଥଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି।  ଏଥିପାଇଁ ବିଶ୍ଵକର୍ମା, ଭୋଇ, ରୂପକାର, କମାରଙ୍କ ସହ କରତି ଓ ଓଝା ସେବକମାନେ ବେଶ୍ ନିଷ୍ଠାର ସହ ରଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି। ତିନି ରଥର ୨୧ଟି ଅଖ ନିର୍ମାଣ ଶେଷ ହୋଇଥିବା ବେଳେ ତାଳଧ୍ଵଜ ରଥର ବଡ ଉଛଳା ଅଖରେ ଗଣ୍ଠି ଥିବାରୁ ଏହାକୁ ବଦଳାଯାଇ ଆଉ ଏକ ଅଖ ନିର୍ମାଣ ହୋଇଛି। ବଦଳାଯାଇଥିବା ଅଖଟି ଦେବଦଳନ ରଥର ସାନ ଉଛଳା ପାଇଁ ବ୍ୟବହାର କରାଯାଇଛି‌।

ସେହିପରି ଦେବଦଳନ ରଥର ବ୍ରେକ ଚକର ପଇରେ ଫାଟ ଦେଖାଦେଇଛି। ରଥ ବିଶେଷଜ୍ଞ ଟିମ୍ ଏହାକୁ ଅନୁଧ୍ୟାନ କରିବା ପରେ ଫାଟ ସୃଷ୍ଟି ହୋଇଥିବା ପଇକୁ ବଦଳାଯିବ କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଦେବଦଳନ ରଥର ବିଶ୍ଵକର୍ମା। ତେବେ ରଥର ଏହି ବ୍ରେକ୍ ଚକଟି ବେଶ୍ ଗୁରୁତ୍ବପୂର୍ଣ୍ଣ ବହନ କରୁଥିବାରୁ ଏହାକୁ ବଦଳାଇବା ନିହାତି ଆବଶ୍ୟକ। ନଚେତ ରଥଯାତ୍ରା ସମୟରେ ଏହା ସମସ୍ୟା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି।

ବୁଧବାର ରଥଖଳାରେ ରଥର ମୂଳଦୁଆ ଦଣ୍ଡା ଅନୁକୂଳ ହେବା ପରେ ବିଶ୍ଵକର୍ମାମାନେ ଏହାକୁ ବାରିସି ସାହାଯ୍ୟରେ ସାଇଜ କରୁଛନ୍ତି । ତାଳଧ୍ଵଜ ଓ ନନ୍ଦିଘୋଷ ରଥର ୯ଟି ଲେଖାଏଁ ଦଣ୍ଡା ଏବଂ ଦେବଦଳନ ରଥର ୭ଟି ଦଣ୍ଡା ରହିଛି। ବିଧି ଅନୁଯାୟୀ ଶୀତଳଷଷ୍ଠୀ ପରଦିନ ପଞ୍ଚପାଣ୍ଡବ ସହର ପରିକ୍ରମା କରି ଆସିବା ପରେ ରଥଖଳାରେ ଥାକ ମରାଯାଇଥିବା ଚକରେ ପନ୍ତି ଭୋଗ କରାଯିବ। ଏହାପରେ ସମସ୍ତ ଅଖ ସହିତ ଚକର ସଂଯୋଗ ହେବ। ତେବେ ଅଖ ଉପରେ ଦଣ୍ଡା ରହିବ। ଦଣ୍ଡା ଓ ଗରଗରା ଉପରେ ରଥ ଉପର ଅଂଶର ସମସ୍ତ ଭାରା ରହିବ। ଦଣ୍ଡାରେ ଗରଗରା ପଡିବା ପରେ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଚାରି ନାହାକା ଉଠିଯିବ ବୋଲି କହିଛନ୍ତି ଭୋଇ ସର୍ଦ୍ଦାର।

ସେପଟେ ରୂପକାର ସେବକମାନେ ତିନି ରଥର ୬ଟି ଲେଖାଏଁ ସାଲ ଗୁଜରେ ରୂପ ଖୋଦେଇ ସାରିଥିବା ବେଳେ କମାର ସେବକ ଦୋଳବେଦୀରେ ନନ୍ଦିଘୋଷ ରଥର ଗୟଳ ଚିରଟ କାର୍ଯ୍ୟ ଜାରି କରୁଛନ୍ତି। ରଥ ନିର୍ମାଣ କାର୍ଯ୍ୟ ଆଜକୁ ୩୧ ଦିନରେ ପହଞ୍ଚିଛି। ଏଥିରେ ମୋଟ ୧୯୭ଜଣ କାରିଗର ନିୟୋଜିତ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com