ଓଡ଼ିଶା

ଏସ୍‌ସିବିରେ ବିଚିତ୍ର ନିୟମ; ମୋବାଇଲ ବନ୍ଧକ ରଖି ଷ୍ଟ୍ରେଚର ନିଅ

କଟକ () କଟକ ଏସ୍‌ସିବିକୁ ବିଶ୍ୱସ୍ତରୀୟ କରୁଛନ୍ତି ରାଜ୍ୟ ସରକାର। ହେଲେ ଏଠି ରୋଗୀଙ୍କ ପାଇଁ ପ୍ରଣୟନ କରାଯାଇଛି ବିଚିତ୍ର ନିୟମ। ମୋବାଇଲ୍‌ ବନ୍ଧକ ରଖିଲେ, ମିଳିବ ଷ୍ଟ୍ରେଚର ଓ ହୁଇଲ୍‌ ଚେୟାର। ଆଉ ଉପାୟଶୂନ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟମାନେ ମୋବାଇଲ୍‌ ବନ୍ଧକ ରଖିବାକୁ ବାଧ୍ୟ ହେଉଛନ୍ତି। ବଡ଼ ମେଡିକାଲ୍‌ରେ ଏପରି ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଓଡ଼ିଶାର ସବୁଠାରୁ ମେଡିକାଲ୍‌ ହେଉଛି କଟଟ ଏସ୍‌ସିବି ମେଡିକାଲ। ଏଠାକୁ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଆସୁଛନ୍ତି। ଗୁରୁତର ରୋଗୀମାନଙ୍କୁ କାଜୁଆଲିଟିରୁ ଦୂରରେ ଥିବା ସିଟି ସ୍କାନ,ଏକ୍ସରେ, ଅଲ୍ଟ୍ରାସାଉଣ୍ଡ,ଏମ୍‌ଆର୍‌ଆଇ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ରଞ୍ଜନ ରଶ୍ମୀ ବିଭାଗକୁ ବୋହି ନେବାକୁ ଷ୍ଟ୍ରେଚର ଏବଂ ହୁଇଲ୍‌ ଚେରାର ବ୍ୟବସ୍ଥା ହୋଇଛି। ହେଲେ ମେଡିକାଲ୍‌ରେ ନିୟୋଜ ଠିକା ସଂସ୍ଥା ଏଥିପାଇଁ ଅଜବ ନିୟମ ପ୍ରଣୟନ କରିଛନ୍ତି। ଆଗେ ମୋବାଇଲ୍‌ ବନ୍ଧା ରଖ, ତା’ପରେ ଷ୍ଟ୍ରେଚର ବା ହୁଇଲ ଚେୟାର ନିଅ। ଯେତେବେଳେ ଷ୍ଟ୍ରେଚର ବା ହୁଇଲ୍‌ ଚେୟାର ଫେରାଇବ, ସେତେବେଳେ ମୋବାଇଲ୍‌ ନେବ। ଯେଉଁଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାନା ହଇରାଣ ହରକତ ହେଉଛନ୍ତି।

ସ୍ୱଚ୍ଛାସେବୀ ସହାୟକ ଅନୁପମା ପଣ୍ଡା କହିଛନ୍ତି, “ଲୋକମାନେ ଷ୍ଟ୍ରେଚର ନେଲା ପରେ ଯେଉଁଠି ପାରୁଛନ୍ତି, ସେଠି ପକାଇ ଦେଇ ପଳାଉଛନ୍ତି। ଫେରାଉ ନାହାନ୍ତି। ଗତ ୫ ବର୍ଷ ଭିତରେ ୩୦ରୁ ଅଧିକ ଷ୍ଟେଚର ଓ ହୁଇଲ୍‌ ଚେୟାର ହଜି ଗଲାଣି। ଏନେଇ ମେଡ଼ିକାଲ୍‌ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ଲେଖିତ ଭାବେ ଜଣାଇଛି। ମୁଁ ଜାଣିପାରୁଛୁ, ଲୋକମାନେ ହଇରାଣ ହେଉଛନ୍ତି, ତଥାପି ଆମେ ବାଧ୍ୟ ହେଉଛୁ ମୋବାଇଲ୍‌ ରଖିବା ପାଇଁ। ଏହାଦ୍ୱାରା ଲୋକମାନେ ଶୀଘ୍ର ଷ୍ଟ୍ରେଚର ଫେରାଉଛନ୍ତି।”

ଏସ୍‌ସିବି ମେଡିକାଲ୍‌ର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି, “ଏ ବିଷୟ ଖବର ପାଇଛି। ଏ ସମ୍ପର୍କରେ ସୁପରିନ୍‌ଟେଣ୍ଡେଣ୍ଟ ମାଡାମଙ୍କ ସହିତ କଥା ହୋଇଛି। ସେପରି ଅସୁବିଧା ଯେପରି ଭବିଷ୍ୟତରେ ନହେବ, ସେଥିପାଇଁ ଆମେ ବ୍ୟବସ୍ଥା କରିବୁ। ସେଠାରେ ଆବଶ୍ୟକ ମୁତାବକ ନୂଆ ଷ୍ଟ୍ରେଚର ଯୋଗାଇଦେବୁ।”

Related Articles

Back to top button