ଓଡ଼ିଶା

ଗୁହାରୀ କେହି ଶୁଣିଲେନି! ଭଙ୍ଗା ଘର ମରାମତି ବେଳେ ଭୁଶୁଡିଲା, ଯୁବକ ମୃତ

କେନ୍ଦୁଝର() ଘର ଖଣ୍ଡିଏ ପାଇଁ ବାରମ୍ୱାର ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡି ନୟାନ୍ତ ହେଲେ। ସବୁଆଡୁ ନିରାଶ ହେବା ପରେ ଭାଗ୍ୟକୁ ଆଦରି ନିଜର ଭଙ୍ଗା ଘରକୁ ମରାମତି କରୁଥିଲେ ଦୁଇ ଭାଇ। ହେଲେ ଦଇବ ସହିଲା ନାହିଁ! ହଠାତ୍‌ କାନ୍ଥ ଭୁଶୁଡି ପଡ଼ିବାରୁ ଚାଲିଗଲା ଘରର ରୋଜଗାରୀ ପୁଅର ଜୀବନ। ଏପରି ହୃଦୟବିଦାରକ ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ପାଟଣା ବ୍ଲକ୍ ତୁରୁମୁଙ୍ଗା ଥାନା ଅଧୀନ ଚାକୁଣ୍ଡାପାଳ ଗାଁର ତ୍ରିବେଣୀ ବେହେରା ହେଉଛନ୍ତି ଜଣେ ଗରିବ ଶ୍ରେଣୀର ମହିଳା। ସ୍ୱାମୀ ପ୍ରତାପ ବେହେରାଙ୍କ ମୃତ୍ୟୁ ପରେ ଦୁଃଖ କଷ୍ଟରେ ଭଙ୍ଗା କୁଡ଼ିଆରେ ରହୁଥିଲେ। ତାଙ୍କର ପରିବାର କହିଲେ ଦୁଇ ପୁଅ ମିଥୁନ୍‌ ଓ ମିହିରଙ୍କ ସହ ଦୁଇ ବୋହୂ ଏବଂ ନାତୁଣୀ। ଅର୍ଥ ଅଭାବରୁ ଭଙ୍ଗା ଘରକୁ ମରାମତି କରିପାରୁନଥିଲେ। କାମଦାମ କରି ପରିବାର ଭରଣ ପୋଷଣ କରୁଥିଲେ।

ଗରିବ ଶ୍ରେଣୀରେ ହୋଇଥିବାରୁ ତ୍ରିବେଣୀଙ୍କ ଦୁଇ ପୁଅ ଘର ଖଣ୍ଡିଏ ପାଇଁ ବହୁବାର ଆବେଦନ କରିଥିଲେ। ଏପରିକି ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ସବୁ ବାବୁଙ୍କୁ ଗୁହାରୀ କରି ନୟାନ୍ତ ହେଲେ। ହେଲେ କେହି ତାଙ୍କ ଗୁହାରୀ ଶୁଣିଲେ ନାହିଁ। ସବୁଆଡୁ ନିରାଶ ହେବା ପରେ ଦୁଇ ଭାଇ ମିଥୁନ ଓ ମିହିର ଗୁରୁବାର ଅପରାହ୍ନ ପ୍ରାୟ ୩ଟା ବେଳେ ଭଙ୍ଗା କୁଡିଆକୁ ମରାମତି କରୁଥିଲେ।

ଘର ମରାମତି କରୁଥିବା ବେଳେ ହଠାତ କାନ୍ଥ ଭାଙ୍ଗି ଯାଇଥିଲା। ଘରର କାନ୍ଥ ଭାଙ୍ଗି ମିଥୁନଙ୍କ ଉପରେ ପଡିଥିଲା। ବହୁ କଷ୍ଟରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com