ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା କେନ୍ଦ୍ର ୨୨୧କୁ ବୃଦ୍ଧି, ଜିଲ୍ଲା ଚିକିତ୍ସାଳୟରେ ମିଳିବ ୧୪୬ ପ୍ରକାର ପରୀକ୍ଷା ସୁବିଧା
ଭୁବନେଶ୍ୱର, ୨୦/୦୩/୨୦୨୩ – ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ଦିଗରେ ରାଜ୍ୟ ସରକାର ଜିଲ୍ଲାସ୍ତରରେ ମିଳୁଥିବା ନିଶୁଳ୍କ ରୋଗ ନିରୂପଣ ପରୀକ୍ଷା ପରିସର ୧୪୬କୁ ବୃଦ୍ଧି କରିଛନ୍ତି । ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ଟେଷ୍ଟର ସୁବିଧା ମିଳିବ । ସ୍ୱାସ୍ଥ୍ୟ ସବ୍-ସେଣ୍ଟର୍ ଠାରୁ ଆରମ୍ଭ କରି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ପର୍ଯ୍ୟନ୍ତ ସ୍ତରୱାରୀ ତାଲିକା ଅନୁସାରେ ଏହି ସବୁ ପରୀକ୍ଷା ସୁବିଧା ମିଳିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞନ ପୁଜାରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଜାନୁଆରୀ ୨୦୧୮ ରୁ ଆରମ୍ଭ କରାଯାଇଥିବା ନିଦାନ ଯୋଜନାରେ ଏହି ସବୁ ସୁବିଧା ମିଳିବ । ଆୟବର୍ଗ ନିର୍ବିଶେଷରେ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ସବୁଲୋକ ଏହି ନିଶୁଳ୍କ ମାଗଣା ସେବା ପାଇ ପାରିବେ ।
ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ ରୋଗନିରୀକ୍ଷଣ ତଥ୍ୟ ଭିତ୍ତିରେ ରାଜ୍ୟରେ ବିଭିନ୍ନ ରୋଗର ସଂପ୍ରତି ସ୍ଥତିକୁ ଲକ୍ଷ୍ୟକରି ମାଗଣା ରୋଗନିରୂପଣ ପରୀକ୍ଷା ତାଲିକା ପ୍ରସ୍ତୁତ କରାଯାଇଛି । ଯେପରିକି ସମସ୍ତଙ୍କୁ ଉତ୍ତମ ଚିକିତ୍ସାସେବା ମିଳି ପାରିବ । ସେ ସ୍ପଷ୍ଟ କରିଥିଲେ ଯେ ଏବେଣିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତରରେ ୧୪୬ ପ୍ରକାର ପରୀକ୍ଷା, ଉପଖଣ୍ଡ ଚିକିତ୍ସାଳୟ ସ୍ତରରେ ୧୨୧ ପ୍ରକାର କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ୧୦୩, ପ୍ରକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ତରରେ ୬୫ ପ୍ରକାର ଏବଂ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ତରରେ ୧୬ ପ୍ରକାର ରୋଗ ନିରୂପଣ ପରୀକ୍ଷା ମାଗଣାରେ କରାଯିବ। ମେଡ଼ିକାଲ କଲେଜ ଓ ହସ୍ପିଟାଲ ସ୍ତରରେ ୨୨୧ ପ୍ରକାର ପରୀକ୍ଷା ସୁବିଧା ମିଳିବ ।
ଖର୍ଚ୍ଚ ବହୁଳ ଏବଂ ସ୍ପେସାଲିଟି ସେବା ପରୀକ୍ଷାଗୁଡିକୁ ଦକ୍ଷ ଓ ଅଭିଜ୍ଞ ରୋଗନିରୂପକ ସଂସ୍ଥାମାନଙ୍କ ମାଧ୍ୟମରେ କରାଯିବ। ଜାତୀୟ ଜେମ୍ସ୍ ଟେଣ୍ଡର ପୋର୍ଟାଲ୍ ମାଧ୍ୟମରେ ଏହି ସଂସ୍ଥାମାନଙ୍କରେ ଚୟନ କରାଯିବ। ଜନସାଧାରଣଙ୍କ ସୁବିଧା ନିମନ୍ତେ ଚୟନ ହୋଇଥିବା ସଂସ୍ଥା ଜିଲ୍ଲା ଉପଖଣ୍ଡ, ବ୍ଲକ୍ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଆବଶ୍ୟକୀୟ ସଂଖ୍ୟକ ସାମ୍ପୁଲ୍ ସଂଗ୍ରହ କେନ୍ଦ୍ର ଖୋଲିବେ। ପ୍ରତି ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ଏକ ସୁଦୃଶ୍ୟ ଯାଗାରେ ମାଗଣାରେ ମିଳୁଥିବା ପରୀକ୍ଷା ତାଲିକା ବିଜ୍ଞାପିତ ହେବ ଯେପରିକି ଜନସାଧାରଣ ଏ ବିଷୟରେ ସଠିକ୍ ସୂଚନା ପାଇପାରିବେ ।
ବିଭିନ୍ନ ପ୍ରକାର ରୋଗନିରୂପଣ ପରୀକ୍ଷାର ଗୁଣାତ୍ମକମାନ ବଜାୟ ରଖିବା ପାଇଁ ଉଭୟ ଅନ୍ତଃ-ବିଭାଗୀୟ ଏପଂ ବାହ୍ୟ-ଆନୁଷ୍ଠାନିକ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ର କହିଥିଲେ। ଜଣାପଡିଛି ଯେ ପ୍ରାୟ ୫୮ ପ୍ରକାର ଖର୍ଚ୍ଚ ବହୁଳ ସ୍ପେସାଲିଟି ସେବା ପରୀକ୍ଷାକୁ ନିଦାନ ଅନ୍ତର୍ଭୁକ୍ତ କରାଯାଇଛି ।