ଜାତୀୟରାଜନୀତି

ସସପେନ୍ସ ଶେଷ କଲେ ପାଟିଦାର ନେତା ନରେଶ ପଟେଲ, ଗୁଜରାଟରେ ମଉଳିଲା କଂଗ୍ରେସର ଆଶା

ଗାନ୍ଧୀନଗର : ଛଅ ମାସର ସସପେନ୍ସ ପରେ ପ୍ରଭାବଶାଳୀ ପାଟିଦାର ନେତା ନରେଶ ପଟେଲ ସକ୍ରିୟ ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଶ୍ରୀ ଖୋଡଲଧାମ ଟ୍ରଷ୍ଟର ମୁଖ୍ୟ ନରେଶ ପଟେଲଙ୍କ ଏହି ଘୋଷଣା କଂଗ୍ରେସକୁ ବଡ଼ ଝଟକା ଦେଇଛି । ଡିସେମ୍ୱରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନରେଶ ପଟେଲଙ୍କୁ ପାର୍ଟିରେ ସାମିଲ କରାଇବା ପାଇଁ କଂଗ୍ରେସ ପ୍ରୟାସ କରୁଥିଲା । ଏହି ପ୍ରସଙ୍ଗ ଉପରେ ବିଚାର କରିବା ପାଇଁ ଦିଲ୍ଲୀରେ ଦଳର ବରିଷ୍ଠ ନେତାଙ୍କ ସହ ଅନେକ ପର୍ଯ୍ୟାୟରେ ବୈଠକ ମଧ୍ୟ ହୋଇଥିଲେ।

ନରେଶ ପଟେଲ କହିଛନ୍ତି, ଯୁବକ ଏବଂ ମହିଳାନେ ତାଙ୍କ ସକ୍ରିୟ ରାଜନୀତିରେ ପ୍ରବେଶ ପକ୍ଷରେ ଅଛନ୍ତି କିନ୍ତୁ ସମୁଦାୟର ବରିଷ୍ଠ ନାଗରିକ ସମ୍ପୂର୍ଣ୍ଣ ରୂପେ ଏହା ବିରୋଧରେ ଅଛନ୍ତି । ରାଜକୋଟ ଜିଲ୍ଲା ସ୍ଥିତ ଖୋଡଲଧାମରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପଟେଲ କହିଛନ୍ତି, ‘ପାଟିଦାର ସମୁଦାୟର ବରିଷ୍ଠ ଲୋକେ ମୋତେ କହିଛନ୍ତି ଯଦି କୌଣସି ରାଜନୈତିକ ଦଳରେ ମୁଁ ସାମିଲ ହୁଏ ତେବେ ପ୍ରତିଟି ସମୁଦାୟକୁ ଉଚିତ ନ୍ୟାୟ ଦେଇପାରିବ ନାହିଁ’। ଖୋଡଲଧାମରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସହ ଜଡିତ ଅନେକ ପ୍ରକଳ୍ପ ଏବେ ବି ଅଧାରେ ରହିଛି। ଏହି ସବୁ ପ୍ରକଳ୍ପକୁ ପୂରଣ କରିବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଟ୍ରଷ୍ଟର ଏକ କମିଟି ସମୁଦାୟଠାରୁ ପରାମର୍ଶ ନେବା ପାଇଁ ଏକ ସର୍ଭେ କରିଥିଲା। ଏହି ସର୍ଭେକୁ ଆଧାର କରି ପଟେଲ କହିଛନ୍ତି, ପ୍ରାୟ ୮୦ ପ୍ରତିଶତ ଯୁବକ ଏବଂ ୫୦ ପ୍ରତିଶତ ମହିଳା ରାଜନୀତିରେ ପ୍ରବେଶ ପକ୍ଷରେ ଥିଲେ। କିନ୍ତୁ ୧୦୦ ପ୍ରତିଶତ ବରିଷ୍ଠ ନାଗରିକ ରାଜନୀତିରୁ ଦୂରରେ ରହିବା ପାଇଁ କହିଥିଲେ।

ଗୁଜରାଟ ରାଜନୀତିରେ ପାଟିଦାରଙ୍କ ବଡ଼ ଭୂମିକା ରହିଥାଏ । ରାଜ୍ୟରେ ପାଟିଦାର ଜନସଂଖ୍ୟା ପ୍ରାୟ ୧୧-୧୨ ପ୍ରତିଶତ ଏବଂ ଅନେକ ବିଧାନସଭା କ୍ଷେତ୍ରରେ ଏମାନଙ୍କ ଭୂମିକା ନିର୍ଣ୍ଣାୟକ ହୋଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com