ଓଡ଼ିଶା

ପଟ୍ଟାଙ୍ଗିରେ ଲଗାଣ ବର୍ଷାର ପ୍ରଭାବ: ଗଛ ପଡ଼ି ରାସ୍ତା ଅବରୋଧ, ଚାଷ ନଷ୍ଟ, ବଜାର ଦର ବୃଦ୍ଧି

ପଟ୍ଟାଙ୍ଗି, ୦୨|୦୭: କୋରାପୁଟ ଜିଲ୍ଲା ଓ ଆନ୍ଧ୍ର ସୀମାରେ ଅବସ୍ଥିତ ପଟ୍ଟାଙ୍ଗି ବ୍ଲକରେ ଲଗାତାର ଝଡ଼ବର୍ଷା ଯୋଗୁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା, ଯାହାକୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସମୟରେ ପହଞ୍ଚି ହଟାଇ ରାସ୍ତା ସ୍ବାଭାବିକ କରିଥିଲେ। ଗତ ୧୦ ଦିନ ଧରି ଚାଲିଥିବା ବର୍ଷା ଦ୍ୱାରା ବ୍ଲକ ସଦର ଓ ବିଭିନ୍ନ ପଞ୍ଚାୟତ ସ୍ଥାନଗୁଡ଼ିକ ମାନବଶୂନ୍ୟ ହୋଇପଡ଼ିଛି। ବର୍ଷା ପାଣି ଚାଷଜମିରେ ଜମି ଥିବା ସହ ବର୍ଷା ଧାନ ବୁଡ଼ିଯାଇଛି ଓ ଉତ୍ପାଦନ ଉପରେ ପ୍ରଭାବ ପଡ଼ିଛି।

ଅନ୍ୟପକ୍ଷରେ, ବର୍ଷା ପ୍ରଭାବ ଯୋଗୁ ବାଇଗଣ, ଧନିଆପତ୍ର, ଫୁଲକୋବି, ମୂଳା, ଟମାଟୋ ଭଳି ପନିପରିବା ବ୍ୟାପକ ଭାବେ ନଷ୍ଟ ହୋଇପଡ଼ିଛି। ଏହା ଫଳରେ ବଜାରରେ ପନିପରିବା ଦର ବଢ଼ିଯାଇଛି ଓ ଖାଦ୍ୟ ଦାମ ଉପରେ ଚାପ ପଡ଼ିଛି। ଲଗାଣ ବର୍ଷା ପ୍ରଭାବରେ ୨୬ ନମ୍ବର ଜାତୀୟ ରାଜପଥ ସିପାଇପୁଟ ଛକ ନିକଟରେ ଏକ କୃଷ୍ଣଚୂଡ଼ା ଗଛ ଗଡ଼ି ପଡ଼ିଥିବାରୁ ଦୀର୍ଘ ସମୟ ଧରି ଯାତାୟାତ ବନ୍ଦ ରହିଥିଲା। ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ନିର୍ଦ୍ଦେଶରେ ଅଗ୍ନିଶମ ବିଭାଗ ଦ୍ୱାରା ଗଛକୁ ହଟାଇ ରାସ୍ତା ସଫା କରାଯାଇଥିଲା। ସେପରି, ବ୍ଲକ ସଦର ଠାରୁ କୋଟିଆ ଗ୍ରାମକୁ ସଂଯୋଗ କରୁଥିବା ବ୍ରିଟିଶ ରାସ୍ତା, ଏବଂ ଉପରସାହି-ଟେଲିକମ ଛକ ସଂଯୋଗୀ ରାସ୍ତା ଭିତରେ ଥିବା ଶିବ ମନ୍ଦିର ନିକଟ ଏବଂ ଅନ୍ୟ ଅଞ୍ଚଳରେ ଗଛ ପଡ଼ି ଥିବା ବିକଳ୍ପ ସ୍ଥାନମାନେ ମଧ୍ୟ ସଫା କରାଯାଇଛି।

 

Related Articles

Back to top button