ଭୟାନକ ଅଗ୍ନିକାଣ୍ଡରେ ପୋଡ଼ିଗଲା ଭାରତର ଅନ୍ୟତମ ପୁରାତନ ତଥା ଐତିହ୍ୟ ମାନ୍ୟତାପ୍ରାପ୍ତ ‘ସିକନ୍ଦରାବାଦ କ୍ଲବ୍’
![](https://i0.wp.com/odia.mobilenews24x7.com/wp-content/uploads/2022/01/club-fire.jpg?resize=650%2C400&ssl=1)
ହାଇଦ୍ରାବାଦ: ଆଜି ପ୍ରତ୍ୟୁଷରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ହାଇଦ୍ରାବାଦରେ ଅବସ୍ଥିତ ଭାରତର ଅନ୍ୟତମ ପୁରାତନ କ୍ଲବ୍ ‘ସିକନ୍ଦରାବାଦ କ୍ଲବ୍’ ନଷ୍ଟ ହୋଇଯାଇଛି।
୧୮୭୮ ମସିହା ଏପ୍ରିଲ୍ ୨୬ ରେ ବ୍ରିଟିସ୍ମାନଙ୍କଦ୍ବାରା ୨୨ ଏକର ଜମିରେ ସ୍ଥାପିତ ‘ସିକନ୍ଦରାବାଦ କ୍ଲବ୍’ ହେଉଛି ଭାରତର ସର୍ବପୁରାତନ ୫ଟି କ୍ଲବ୍ ମଧ୍ୟରେ ଅନ୍ୟତମ। ‘ସିକନ୍ଦରାବାଦ କ୍ଲବ୍’ ଭାବେ ନାମିତ ହେବା ପୂର୍ବରୁ ଏହାର ନାମ ଥିଲା ‘ସିକନ୍ଦରାବାଦ ଜିମ୍ଖାନା କ୍ଲବ୍’ ଏବଂ ‘ୟୁନାଇଟେଡ୍ ସର୍ଭିସେସ୍ କ୍ଲବ୍’। ୧୯୪୭ ପର୍ଯ୍ୟନ୍ତ ସେ କ୍ଲବ୍ର ଅଧ୍ୟକ୍ଷ ପଦ ମଣ୍ଡନ କରୁଥିଲେ କେବଳ ବ୍ରିଟିସ୍ ବ୍ୟକ୍ତିବିଶେଷ। ଅଳ୍ପ କେତେଜଣ ଉଚ୍ଚବର୍ଗର ସମ୍ଭ୍ରାନ୍ତ ଭାରତୀୟଙ୍କୁ ଏଥିରେ ସଦସ୍ୟ ହେବା ପାଇଁ ସୁଯୋଗ ମିଳୁଥିଲା।
୧୯୪୮ ମସିହାରେ ଭାରତୀୟ ସଶସ୍ତ୍ର ବାହିନୀ ହାଇଦ୍ରାବାଦ ଅକ୍ତିଆର କରିବା ପରେ ଭାରତୀୟ ସଶସ୍ତ୍ର ବାହିନୀର କମାଣ୍ଡର୍ ଜେନେରାଲ୍ ଚୌଧୁରୀ ଅଳ୍ପ କିଛି ମାସ ପାଇଁ ପ୍ରଥମ ଭାରତୀୟ ଭାବେ ଏହାର ଅଧ୍ୟକ୍ଷ ହୋଇଥିଲେ।
ରାତି ୨.୩୦ରେ ଘଟିଥିବା ଉକ୍ତ ଅଗ୍ନିକାଣ୍ଡ ବିଜୁଳି ସର୍ଟ ସର୍କିଟ ଯୋଗୁଁ ଘଟିଥାଇ ପାରେ ବୋଲି ଅଗ୍ନିଶମ ବିଭାଗ କହିଛି। ସକାଳ ୬ଟା ସୁଦ୍ଧା ନିଆଁ ଲିଭାଯାଇଥିଲା। ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ, ଅଗ୍ନିକାଣ୍ଡ ଯୋଗୁଁ ୩୫ ରୁ ୪୦ କୋଟି ଟଙ୍କାର କ୍ଷତି ହୋଇଥିବା ଅନୁମାନ କରାଯାଉଛି।
ହାଇଦ୍ରାବାଦ ସିଟିର ପୁଲିସ କମିସନର୍ ସି.ଭି. ଆନନ୍ଦ କହିଛନ୍ତି, କ୍ଲବ୍ର ୫୦,୦୦୦ ବର୍ଗଫୁଟ୍ ଅଞ୍ଚଳ କାଠରେ ତିଆରି ହୋଇଥିବାରୁ ଅଗ୍ନିଶମ ଓ ପୁଲିସମାନଙ୍କୁ ଉଦ୍ଧାର ଉଦ୍ୟମ ବୃଥା ଯାଇଥିଲା।
କ୍ଲବ୍ର କାର୍ଯ୍ୟନିର୍ବାହୀମାନେ ଏଥିରେ କୌଣସି ସନ୍ଦେହ ପ୍ରକାଶ କରି ନାହାନ୍ତି। ଅଗ୍ନିଶମ ବିଭାଗ ଏବଂ ପୁଲିସ ଘଟଣାର ଯଥାରୀତି ତଦନ୍ତ କରିବେ ବୋଲି ଆନନ୍ଦ କହିଛନ୍ତି।
ଅଘଟଣ ସମୟର ଭିଡିଓରେ ଦେଖାଯାଉଛି, ନିଆଁ ହୁତ୍ ହୁତ୍ ହୋଇ ଜଳୁଥିବା ବେଳେ କ୍ଲବ୍ ଘରର ବିଭିନ୍ନ ଭାଗ ଭାଙ୍ଗି ପଡୁଛି।
୮୦୦୦ ସଦସ୍ୟ ଥିବା ଉକ୍ତ କ୍ଲବ୍କୁ ‘ହାଇଦ୍ରାବାଦ ଅର୍ବାନ୍ ଡେଭ୍ଲପ୍ମେଣ୍ଟ୍ ଅଥରିଟି’ ଐତିହ୍ୟ ମାନ୍ୟତା ଦେଇଥିଲା। ଏଥିରେ ଗୋଟାଏ କ୍ରିକେଟ ପଡ଼ିଆ ସହ ଅନେକ ଆଉଟ୍ଡୋର୍ ସ୍ପୋର୍ଟସ୍ ଫେସିଲିଟି’ ଥିଲା।