ଓଡ଼ିଶା

ଘରୁ ଡାକି ନେଲେ, ପ୍ରଜାକୋର୍ଟରେ ପିଟି ପିଟି ମାରି ନିଆଁ ଲଗାଇ ଦେଲେ

ମାଲକାନଗିରି () ଜଣେ ବ୍ୟକ୍ତିଙ୍କୁ ଘରୁ ଡାକି ନେଇ ନିର୍ମମ ଭାବେ ପିଟିବା ସହିତ ପ୍ରଜାକୋର୍ଟରେ ମାରି ଦେଲେ ନକ୍ସଲ। ହେଲେ ଏତିକିରେ ସେମାନଙ୍କ ରାଗ ଶାନ୍ତ ହେଲାନି। ମାରିବା ପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଜାଳି ଦେଲେ। ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରିମିଟି ଗାଁରେ। ମୃତକଙ୍କ ନାଁ ଆନନ୍ଦ।

ସୂଚନା ଅନୁଯାୟୀ, ନକ୍ସଲମାନେ ଗତ ଗୁରୁବାର ଆନନ୍ଦଙ୍କୁ ଦଳିଗାଁସ୍ଥିତ ତାଙ୍କ ଘରୁ ଡାକି ନେଇଥିଲେ। ଶୁକ୍ରବାର ସେମାନେ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଶନିବାର ପ୍ରଜାକୋର୍ଟ କରି ମୃତ୍ୟୁଦଣ୍ଡ ଦେଇଥିଲେ। ହତ୍ୟା କରିବା ପରେ ଉତ୍ୟକ୍ତ ନକ୍ସଲମାନେ ସର୍ବସମ୍ମୁଖରେ ତାଙ୍କ ମୃତଦେହକୁ ପୋଡ଼ି ଦେଇଥିଲେ। ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଅନୁଧ୍ୟାନ କରୁଛି।

ମହୁପଦର ଅଞ୍ଚଳ ମାଲକାନଗିରି ଜିଲ୍ଲାରେ ଥିଲେ ବି ଏହା ଛତିଶଗଡ଼ ସୀମାକୁ ଲାଗି ରହିଛି। ତେଣୁ ଛତିଶଗଡ଼ର ନକ୍ସଲ ଏଠାରେ ସକ୍ରିୟ ଅଛନ୍ତି। ଏହା ଅପହଞ୍ଚ ଓ ଘଞ୍ଚ ଜଙ୍ଗଲ ଇଲାକା ହୋଇଥିବାରୁ ପୁଲିସ୍‌ର ଲଗାତର ସର୍ଚ୍ଚ ଅପରେସନ ସତ୍ତ୍ୱେ ନକ୍ସଲ ସକ୍ରିୟ ରହୁଛନ୍ତି।

ଗତ ୨ ମାସରେ ସମ୍ପୃକ୍ତ ଅଞ୍ଚଳରେ ନକ୍ସଲ- ପୁଲିସ୍‌ ମଧ୍ୟରେ ୩ ଥର ଗୁଳି ବିନିମୟ ହୋଇଛି। ପୁଲିସ୍ ବିଭିନ୍ନ ସମୟରେ ଏଠାରେ ଅପରେସନ କରୁଛି। କିନ୍ତୁ ରାସ୍ତା ନ ଥିବାରୁ ପୁଲିସ୍‌ର ସ୍ଥାୟୀ କ୍ୟାମ୍ପ ହୋଇପାରୁନି। ତେଣୁ ସାଧାରଣ ଲୋକଙ୍କୁ ନକ୍ସଲଙ୍କ ଦାଉରୁ ସୁରକ୍ଷା ଦେବା ପୁଲିସ୍‌ ପକ୍ଷେ କଷ୍ଟକର ହୋଇପଡ଼ୁଛି।

ମାଲକାନଗିରି ଜିଲ୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଅପରେସନ୍ ଜାରି ରହିଛି। ଛତିଶଗଡ଼ ପୁଲିସ୍‌ର ସହଯୋଗ ମଧ୍ୟ ନିଆଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com