ଜାତୀୟ

ଭଗବନ୍ତ ମାନଙ୍କ ପାଇଁ ଆପ୍‌କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ() ଭାରତୀୟ ନିର୍ବାଚନ କମିଶନ ସୋମବାର ଆମ ଆଦମୀ ପାର୍ଟି(ଆପ୍‌)କୁ ନୋଟିସ କରିଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ୍‌ କୋଭିଡ ପ୍ରୋଟକଲ ଭାଙ୍ଗିଥିବା ଜଣାପଡ଼ିବା ପରେ ଆପକୁ ଏପରି ନୋଟିସ କରାଯାଇଛି। ରବିବାର ମାନ୍‌ ସଙ୍ଗରୁର ଜିଲ୍ଲାକୁ ଯାଇଥିଲେ। ଏହି ସମୟରେ କରୋନା କଟକଣାର ଉଲ୍ଲଙ୍ଘନ ହୋଇଥିଲା।

ମାନ୍‌ ହେଉଛନ୍ତି ପଞ୍ଜାବ ଆପର ମୁଖ୍ୟ ଓ ସଙ୍ଗରୁରର ଲୋକସଭା ସାଂସଦ। ଆପ୍‌ ତାଙ୍କୁ ଚଳିତ ପଞ୍ଜାବ ବିଧାନସଭା ନିର୍ବାଚନରେ ସଙ୍ଗରୁର ଜିଲ୍ଲାର ଧୁରୀ ଆସନରୁ ପ୍ରାର୍ଥୀ କରିଛି। ଏଥିପାଇଁ ସେ ରବିବାର ସଙ୍ଗରୁରରେ ପହଞ୍ଚି ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିଛନ୍ତି।

ପ୍ରଚାର ବେଳେ ଶ୍ରୀ ମାନ୍‌କୁ ଏକାଧିକ ଗାଁରେ ଶହଶହ ଲୋକ ଏକାଠି ହୋଇ ସ୍ୱାଗତ କରିଥିଲେ। ଏଥିସହ ଫୁଲ ବର୍ଷା କରାଇଥିଲେ। କେହି ବି କରୋନା କଟକଣାକୁ ମାନି ନଥିଲେ। କାହା ମୁହଁରେ ମାସ୍କ ମଧ୍ୟ ନଥିଲା। ଏହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ କମିଶନ ଆପ୍‌କୁ ଜବାବ ତଲବ କରିଛନ୍ତି।

ତେବେ ଆପ୍‌ କହିଛି ଯେ ଦଳ ପକ୍ଷରୁ ବହୁତ କମ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା। ହେଲେ ମାନ୍‌ ଆସିଥିବା ଖବର ପ୍ରଚାର ହେବା କ୍ଷଣି ଅନେକ ଲୋକ ତାଙ୍କୁ ଭେଟିବାକୁ ଭିଡ଼ ଜମାଇଥିଲେ।

ନିର୍ବାଚନ କମିଶନ ଜାନୁଆରୀ ୩୧ ଯାଏ ସମସ୍ତ ପ୍ରକାରର ନିର୍ବାଚନୀ ରାଲି, ରୋଡ ଶୋ’ ଓ ପଦଯାତ୍ରା ଉପରେ ରୋକ ଲଗାଇଛନ୍ତି। ତେବେ ଡୋର ଟୁ ଡୋର ପ୍ରଚାର ବେଳେ ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୧୦ ଜଣ ଯାଇ ପାରିବେ ବୋଲି ଅନୁମତି ଦେଇଛନ୍ତି। ହେଲେ ଅନେକ ରାଜନେତା ଏହାକୁ ବେଖାତିର କରି ପ୍ରବଳ ଲୋକଙ୍କୁ ନେଇ ପ୍ରଚାର କରୁଛନ୍ତି।

ଆପ୍‌ ପୂର୍ବରୁ ନିର୍ବାଚନ କମିଶନ ସମାଜବାଦୀ ପାର୍ଟିକୁ ମଧ୍ୟ କଟକଣା ଉଲ୍ଲଙ୍ଘନ ପାଇଁ ନୋଟିସ କରିଥିଲେ। ଲକ୍ଷ୍ନୌରେ ଆୟୋଜିତ ସପା କାର୍ଯ୍ୟକ୍ରମରେ ଶହଶହ ଲୋକ ସାମିଲ ହେବାରୁ ଏପରି ପଦକ୍ଷେପ ନିଆଯାଇଥିଲା। କିନ୍ତୁ କମିଶନ ସପାକୁ କେବଳ ଭର୍ତ୍ସନା କରି ଆଗକୁ ଏପରି ନ କରିବାକୁ ସତର୍କ କରାଇ ଛାଡ଼ି ଦେଇଥିଲେ। ଦଳ ବିରୋଧରେ କୌଣସି ପ୍ରକାରର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com