ଜାତୀୟ

ପୂର୍ବତନ ଡିଜିପିଙ୍କ ଗିରଫଦାରୀ ଉପରେ ହାଇକୋର୍ଟଙ୍କ ରାୟକୁ ‘ଅଭୂତପୂର୍ବ’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ() ଶୁକ୍ରବାର ପଞ୍ଜାବର ପୂର୍ବତନ ଡିଜିପି ସୁମେଧ ସିଂ ସୋନୀଙ୍କୁ ଭବିଷ୍ୟତର ସମସ୍ତ ମାମଲାରେ ସୁରକ୍ଷା ପ୍ରଦାନ କରିବା ନେଇ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ଦୁଇ ସପ୍ତାହ ଭିତରେ ତାଙ୍କ ଆବଦେନ ଉପରେ ନିଷ୍ପତ୍ତି ନେବା ପାଇଁ ସର୍ବୋଚ୍ଚ କୋର୍ଟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା, ଜଷ୍ଟିସ ଏଏସ ବୋପନ୍ନା ଏବଂ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ନିଜେ କିମ୍ୱା ଅନ୍ୟ କୌଣସି ଖଣ୍ଡପୀଠକୁ ପଠାଇବାକୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କହିଛନ୍ତି । ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିବା ବିଚାରପତିଙ୍କୁ ନ ଦେବା ପାଇଁ ସର୍ବୋଚ୍ଚ କୋର୍ଟ କହିଛନ୍ତି । ଭବିଷ୍ୟତରେ ସୋନୀଙ୍କୁ ସମସ୍ତ ମାମଲାରେ ସୁରକ୍ଷା ଦେବା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଶୀର୍ଷ ଅଦାଲତ ‘ଅଭୂତପୂର୍ବ’ ଆଖ୍ୟା ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ‘ଏହା ଅଭୂତପୂର୍ବ ନିଷ୍ପତ୍ତି । ଭବିଷ୍ୟତରେ ହେବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ କିପରି ରୋକାଯାଇ ପାରିବ, ଏହା ଆଶ୍ଚର୍ଯ୍ୟ ଜନକ ଏବଂ ଆମ ତିନି ଜଣଙ୍କ ଅନୁଭବ କରୁଛୁ ଯେ, ଏହା ଅଭୂତପୂର୍ବ। ଏଥିପାଇଁ ଏହା ଉପରେ ଶୁଣାଣିର ଆବଶ୍ୟକତା ରହିଛି’।

ଉଲ୍ଲେଖଯୋଗ୍ୟ ଯେ, ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ଥିବା ବଲୱନ୍ତ ସିଂ ମୁତଲାନୀ ହତ୍ୟା ମାମଲାକୁ ଛାଡି ଅନ୍ୟ ସମସ୍ତ ମାମଲାରେ ସୋନୀଙ୍କ ଗିରଫଦାରୀ ଉପରେ ଅନ୍ତରୀଣ ସୁରକ୍ଷାକୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ହାଇକୋର୍ଟ ବଢାଇଥିଲେ ।

ସୋନୀ ହାଇକୋର୍ଟରେ ନିଜର ବିରୋଧରେ ବିଚାରଧୀନ ସମସ୍ତ ଅପରାଧୀକ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି । ସୋନୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଖଣ୍ଡପୀଠକୁ କହିଥିଲେ, ସୋନୀଙ୍କ ବିରୋଧରେ ଅଛନ୍ତି ପଞ୍ଜାବ ସରକାର । ଏହାସହ ସୋନୀଙ୍କୁ ହତ୍ୟା କରାଯିବା ପାଇଁ ପ୍ରୟାସ କରାଯାଇଛି ଏବଂ ଅଧା ଡର୍ଜନରୁ ଅଧିକ ମାମଲା ରୁଜୁ ହୋଇଛି।

ଏହା ଉପରେ ପ୍ରଧାନ ବିଚରାପତି କହିଛନ୍ତି, ‘ସେ ଯାହା ହେଉନା କାହିଁକି, ଆପଣ ଏହା କହି ନିର୍ଦ୍ଦେଶ ଦେଇପାରିବେ ନାହିଁ ଯେ, ଭବିଷ୍ୟତରେ ମଧ୍ୟ ତାଙ୍କୁ ଗିରଫ କରାଯାଇପାରିବ ନାହିଁ’।

Related Articles

Back to top button
WP Twitter Auto Publish Powered By : XYZScripts.com