ଜାତୀୟ

କେରଳର ମନ୍ତ୍ରୀ ଓଲଟା ପତାକା ଉଡ଼ାଇବା ପରେ ବଢ଼ିଲା ବିବାଦ, ଇସ୍ତଫା ଦାବି କଲା ବିଜେପି

ନୂଆଦିଲ୍ଲୀ()କେରଳର ଜଣେ ମନ୍ତ୍ରୀ ବୁଧବାର ଗଣତନ୍ତ୍ର ଦିବସ ଉତ୍ସବରେ ଜାତୀୟ ପତାକା ଓଲଟା ଉଡ଼ାଇବା ପରେ ଆରମ୍ଭ ହୋଇଛି ରାଜନୈତିକ ବିବାଦ। ବିରୋଧୀ ଦଳ ବିଜେପି ଜାତୀୟ ପତାକାକୁ ଅବମାନନା କରିବା ଅଭିଯୋଗରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ସୂଚନା ଅନୁଯାୟୀ, ବାମ ଦଳ ସରକାରର ବନ୍ଦର ଏବଂ ପ୍ରତ୍ନତତ୍ତ୍ୱ ବିଭାଗକ ମନ୍ତ୍ରୀ ଅହମଦ ଦେବରକୋବିଲ ବୁଧବାର ସକାଳେ ମ୍ୟୁନିସିପାଲିଟି ଷ୍ଟାଡିୟମ୍‌ରେ ପତାକା ଉତ୍ତଳନ କରିଥିଲେ।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ୍) ବାମପନ୍ଥୀ ଡେମୋକ୍ରାଟିକ୍ ଫ୍ରଣ୍ଟ (LDF) ର ସହଯୋଗୀ ଇଣ୍ଡିଆନ୍ ନ୍ୟାସନାଲ୍ ଲିଗ୍ (INL) ର ନେତା ଦେବରକୋବିଲ ଜିଲ୍ଲା ମୁଖ୍ୟାଳୟରେ ଗଣତନ୍ତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ହେଲେ ଆଶ୍ଚର୍ଯ୍ୟର କଥା ହେଲା ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ, ବିଧାୟକ, ପୁଲିସ ଅଫିସର ଓ ଗଣତନ୍ତ୍ର ଦିବସରେ ଉସ୍ଥିତ ଥିବା ଅନ୍ୟ ଅତିଥି ମାନଙ୍କର ଏ ଦିଗରେ ନଜର ପଡ଼ିନଥିଲା। ଓଲଟା ପତାକା ଉଡ଼ାଇବା ପରେ ମନ୍ତ୍ରୀ ସେଲୁଟ୍‌ ମାରି ଭାଷଣ ଦେବା ଆରମ୍ଭ କରିଥିଲେ। ଏହାରି ଭିତରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଏହି ତ୍ରୁଟିକୁ ଦେଖି ମନ୍ତ୍ରୀଙ୍କୁ ଇସାରା କରିଥିଲେ। ଏହାପରେ ମନ୍ତ୍ରୀ ପୁଣି ପତାକା ତଳକୁ ଓହ୍ଲାଇ ଠିକ୍‌ ଭାବେ ପତାକା ଉତ୍ତଳନ କରିଥିଲେ।

ଅନ୍ୟପଟେ ବିଜେପି ରାଜ୍ୟ ଅଧ୍ୟକ୍ଷ କେ. ସୁରେନ୍ଦ୍ର ଏଭଳି ଓଲଟା ପତାକା ଉଡ଼ାଇବା ଅଭିଯୋଗରେ ମନ୍ତ୍ରୀ ଦେବରକୋବିଲଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହିତ ଜାତୀୟ ପତାକା ଓଲାଟା ଲୋଗାଇଥିବା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଛନ୍ତି କେ. ସୁରେନ୍ଦ୍ର।

Related Articles

Back to top button
WP Twitter Auto Publish Powered By : XYZScripts.com