Breaking NewsFeaturedଜାତୀୟରାଜନୀତି

ଗୁରୁତ୍ୱପୂର୍ଣ୍ଣ ନିତି ଆୟୋଗ ବୈଠକକୁ ବିଭିନ୍ନ ଆଳରେ ଆଡ଼େଇ ଦେଲେ ୯ଟି ରାଜ୍ୟର ମୁଖିଆ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆସନ୍ତା ୨୮ ତାରିଖ ରବିବାର ନୂତନ ସଂସଦ ଭବନର ଉଦଘାଟନ ହେବ । ଏହି ଉଦଘାଟନୀ ସମାରୋହକୁ ବିଭିନ୍ନ ଦାବିରେ ଦେଶର ୨୦ଟି ରାଜନୀତିକ ଦଳ ବୟକଟ୍‌ ଘୋଷଣା କରିଛନ୍ତି।  ଏପଟେ ସଂସଦ ଭବନର ଉଦଘାଟନ ପୂର୍ବରୁ ଶନିବାର ନୂଆଦିଲ୍ଲୀରେ ହେଉଛି ନିତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟମ ସାଧାରଣ ପରିଷଦ ବୈଠକର ଅଧ୍ୟକ୍ଷତା କରୁଛନ୍ତି । ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ନିତି ଆୟୋଗ ବୈଠକ ହୋଇଥିବାରୁ ବେଶ ଗୁରୁତ୍ୱ ରଖୁଛି । ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ ତଥା ବିକଶିତ ରାଷ୍ଟ୍ରରେ ପରିଣତ କରିବା ଏହି ବୈଠକ ମୂଳ ଉଦ୍ଦେଶ୍ୟ । ଏଥିରେ ୨୦୪୭ ସୁଦ୍ଧା ବିକଶିତ ଭାରତ, ମହିଳା ଶସକ୍ତିକରଣ, ଏମଏସଏମଇକୁ ଗୁରୁତ୍ୱ , ସାମାଜିକ ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ଓ ପୋଷଣ, ଦକ୍ଷତା ବିକାଶ, ଆଞ୍ଚଳିକ ବିକାଶ ପାଇଁ ଗତିଶକ୍ତି ଯୋଜନା ଉପରେ ଗୁରୁତ୍ୱ ଦିଆଯାଉଛି ।
ଆଜିର ନିତି ଆୟୋଗ ବୈଠକରେ ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ, ବହୁ କେନ୍ଦ୍ରମନ୍ତ୍ରୀ ଏବଂ ନିତି ଆୟୋଗର ଉପାଧ୍ୟକ୍ଷଙ୍କ ସମେତ ଅନ୍ୟ ସଦସ୍ୟମାନେ ଯୋଗଦେଉଛନ୍ତି । ହେଲେ ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, କର୍ଣ୍ଣାଟକ ମୁଖ୍ୟ ମନ୍ତ୍ରୀ ସିଦ୍ଧରମେୟା, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଉନଥିବା ଜଣାପଡ଼ିିଛି ।

ଶୁକ୍ରବାର ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ, ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ ମେ-୧୯ ନିୟମ ଯାହା ଜାତୀୟ ରାଜଧାନୀରେ ସେବା ଉପରେ ନିୟନ୍ତ୍ରଣକୁ ଏଲଜି ଅଧୀନରେ କେନ୍ଦ୍ରକୁ ପୁନଃସ୍ଥାପିତ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରଭାବଶାଳୀ ଭାବରେ ବାତିଲ କରିଦେଲା । ଯାହା ସେବା, ପୁଲିସ, ଜନ ଆଦେଶ ଏବଂ ଜମି ଉପରେ ପ୍ରତିବନ୍ଧକ ଲଗାଇ ନିର୍ବାଚିତ ସରକାରଙ୍କୁ ହସ୍ତାନ୍ତର କରିଥିଲା । ଆଠ ବର୍ଷର ସଂଘର୍ଷ ପରେ ଦିଲ୍ଲୀର ଲୋକମାନେ ସୁପ୍ରିମକୋର୍ଟରେ ଜିତିଥିଲେ । ହେଲେ ମାତ୍ର ଆଠ ଦିନ ମଧ୍ୟରେ ଆପଣ ଏକ ନିୟମ ପ୍ରଣୟନ କରି ସୁପ୍ରିମକୋର୍ଟ ଆଦେଶକୁ ଖାରଜ କରିଦେଇଥିଲେ । ତେଣୁ ଯଦି ଦିଲ୍ଲୀ ସରକାରଙ୍କ କୌଣସି ଅଧିକାରୀ କାମ କରିବାରେ ବିଫଳ ହୁଅନ୍ତି ତେବେ ଲୋକମାନଙ୍କ ଦ୍ୱାରା ମନୋନୀତ ନିର୍ବାଚିତ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିପାରିବେ ନାହିଁ । ତେବେ ସେଠାରେ ସରକାର କିପରି କାର୍ଯ୍ୟ କରିବେ ? ଏହାକୁ ସଂପୂର୍ଣ୍ଣ ଶକ୍ତିହୀନ କରାଯାଉଛି ବୋଲି କେଜ୍ରିୱାଲ ଚିଠିରେ କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଏହି କାର୍ଯ୍ୟ ସମ୍ବିଧାନ ପାଇଁ ଏକ ଅବମାନନା ଏବଂ ସହଯୋଗୀ ସଂଘୀୟତାକୁ ପରିହାସ କରିଛି । ଲୋକମାନେ କହିଛନ୍ତି ନିତି ଆୟୋଗ ବୈଠକରେ ଯୋଗଦେବା ଉଚିତ ନୁହେଁ । ତେଣୁ ମୁଁ ଏହି ବୈଠକରେ ଯୋଗ ଦେଇ ପାରିବି ନାହିଁ । ସେହିପରି କୃଷକଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ଅବମାନନା ଦର୍ଶାଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ନିତି ଆୟୋଗ ବୈଠକରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗ ଟିଏମସି ନେତା ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗ ଦେବେ ନାହିଁ । ମମତାଙ୍କ ବଦଳରେ ଅର୍ଥମନ୍ତ୍ରୀ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ଏବଂ ମୁଖ୍ୟ ସଚିବ ଏଚ୍ କେ ଦ୍ୱିବେଦୀଙ୍କୁ ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଏହି ବୈଠକରେ କେବଳ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିପାରିବେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ପାଟନାର ବିହାର ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟମାନେ କହିଛନ୍ତି ନୀତୀଶ କୁମାର ପୂର୍ବ ପ୍ରତିଶ୍ରୁତି ହେତୁ ଯୋଗ ଦେବାକୁ ଅକ୍ଷମତା ପ୍ରକାଶ କରିଛନ୍ତି ଏବଂ ତାଙ୍କ ସ୍ଥାନ ଅନ୍ୟ କେହି ନେଇପାରନ୍ତି । ଏନେଇ ଭାରତ ସରକାରଙ୍କୁ ଏକ ଚିଠି ଲେଖାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କୈଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ଅନୁଯାୟୀ ଆଜି ହାଇଦ୍ରାବାଦରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆଲୋଚନା ଥିବାରୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିତି ଆୟୋଗ ବୈଠକରେ ଯୋଗ ଦେଇପାରିବେ ନାହିଁ । ସେପଟେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ତିନି ଦିନିଆ ସିଙ୍ଗାପୁର ଏବଂ ଜାପାନ ଗସ୍ତରେ ଥିବାରୁ ଏହି ବୈଠକରେ ଅନୁପସ୍ଥିତ ରହିବେ ବୋଲି ତାମିଲନାଡୁର ଅଧିକାରୀମାନେ ସୂଚନା ଦେଇଛନ୍ତି ।

ସେ ଯାହାହେଉ ନିତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ଆଗକୁ କିଭଳି ପରିସ୍ଥିତି ସୃଷ୍ଟି କରିବ ତାହା ଦେଖିବାକୁ ବାକି ରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com