ଜାତୀୟ

ରେଳବାଇ ଚାକିରିକୁ ନେଇ ବିକ୍ଷୋଭ: ଖାନ ସାରଙ୍କ ନାଁରେ ଏଫଆଇଆର୍‌

ପାଟନା: ଭାରତୀୟ ରେଳବାଇରେ ନିଯୁକ୍ତିକୁ ନେଇ ଦେଖାଯାଇଥିବା ଛାତ୍ର ଆନ୍ଦୋଳନ ଓ ହିଂସା ଘଟଣାରେ ବିହାର ପୁଲିସ୍‌ ୟୁଟ୍ୟୁବର ଖାନ ସାର୍‌ଙ୍କ ନାଁରେ ଏଫଆଇଆର ରୁଜୁ କରିଛି। ସୋମବାର ବିହାରର ପାଟନାରେ ଛାତ୍ର ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ପଛରେ ଖାନ ସାର୍‌ଙ୍କ ହାତ ଥିବା ପୁଲିସ୍‌ କହିଛି। ଏଥିପାଇଁ ପିଲାମାନଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ଶିକ୍ଷା ଦେଉଥିବା ଖାନ ସାର ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି।

ପାଟନାରେ ସୋମବାର ଓ ମଙ୍ଗଳବାର ବିକ୍ଷୋଭ କରୁଥିବା କିଛି ଶିକ୍ଷାର୍ଥୀଙ୍କୁ ପୁଲିସ୍‌ ଅଟକ ରଖିଥିଲା। ସେମାନଙ୍କୁ ଜେରା କରିବା ପରେ ହିଁ ପୁଲିସ୍‌ ଖାନ ସାରଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଆରଆରବି ଏନଟିପିସି ପରୀକ୍ଷା ଯଦି ବାତିଲ ନ ହୁଏ, ତା’ହେଲେ ପିଲାମାନେ ରାଜରାସ୍ତାରେ ସେମାନଙ୍କ ଆନ୍ଦୋଳନକୁ ଜୋରଦାର କରିବା ଦରକାର ବୋଲି ଖାନ୍‌ ସାର କହୁଥିବା ଗୋଟିଏ ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ଏଫଆଇଆର ରୁଜୁ ହେବା ପୂର୍ବରୁ ଖାନ ସାର ଗୋଟିଏ ଗଣମାଧ୍ୟମକୁ କହିଥିଲେ ଯେ ହିଂସାରେ ଯଦି ମୋର ଭୂମିକା ରହିଛି, ତା’ହେଲେ ମୋତେ ପୁଲିସ୍‌ ଗିରଫ କରିବ। ହିଂସା ପାଇଁ ଆରଆରବି ଦାୟୀ। ସେମାନେ ଇଣ୍ଟରମେଡିଏଟ ଓ ଗ୍ରାଜ୍ୟୁଏଟ ଶିକ୍ଷାର୍ଥୀଙ୍କୁ ସମାନ ରେଜଲ୍ଟ ପ୍ରଦାନ କରିଛନ୍ତି।

ଏପରି ପଦକ୍ଷେପ କେବଳ ଗ୍ରାଜ୍ୟୁଏଟ ପିଲାଙ୍କୁ ଫାଇଦା ଦେବ। ଶିକ୍ଷାର୍ଥୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏହାକୁ ଆରଆରବି ହିଂସା ନାଁରେ ନାମିତ କରୁଥିବା ସେ ଅଭିଯୋଗ କରିଛନ୍ତି।

ତେବେ ସବୁଆଡ଼େ ଖାନ ସାର୍‌ ନାଁରେ ପରିଚତ ଏହି ବ୍ୟକ୍ତିଙ୍କ ଅସଲ ନାଁ କେହି ଜାଣି ନାହାନ୍ତି। କିଛି ଲୋକ ସୋଶାଲ ମିଡିଆରେ ତାଙ୍କ ନାଁ ଅମିତ ସିଂହ ବୋଲି କହୁଥିବା ବେଳେ ଆଉ କିଛି ଲୋକ ତାଙ୍କ ନାଁ ଫୈଜଲ ଖାନ ବୋଲି କହୁଛନ୍ତି। ତାଙ୍କ ଘର ଉତ୍ତର ପ୍ରଦେଶର ଗୋରଖପୁରରେ।

ତାଙ୍କୁ ଯେତେବେଳେ ତାଙ୍କର ପ୍ରକୃତ ନାଁ ପଚରାଯାଇଥିଲା ସେ କହିଥିଲେ ଯେ “ମୁଁ ପାଠପଢ଼ାଉଥିବା କୋଚିଂ ସେଣ୍ଟର ମୋର ପ୍ରକୃତ ନାଁ କହିବାକୁ ବାରଣ କରିଛି। ଏଥିସହ ବ୍ୟକ୍ତିଗତ ନମ୍ବର ମଧ୍ୟ ଶେୟାର ନ କରିବାକୁ କହିଛି। କିଛି ପିଲା ମୋତେ ଖାନ ସାର୍ ଡାକିବା ଆରମ୍ଭ କରିଥିଲେ। ଏବେ ମୁଁ ସେହି ନାଁରେ ପରିଚିତ। ଉପଯୁକ୍ତ ସମୟ ଆସିଲେ ସମସ୍ତେ ମୋ ପ୍ରକୃତ ନାଁ ଜାଣି ପାରିବେ।”

ଖାନ୍ ସାରଙ୍କ ନାଁରେ ଏଫଆଇଆର ହୋଇଥିବାରୁ ଏହାକୁ ବିଭିନ୍ନ ରାଜନୀତିକ ଦଳ ବିରୋଧ କରିଛନ୍ତି। ଜନ ଅଧିକାର ପାର୍ଟି ନେତା ପପୁ ଯାଦବ କହିଛନ୍ତି, ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ସ୍ୱର ଚାପିବା ଉଦ୍ୟମ ବନ୍ଦ କରାଯାଉ। ଆରଆରବି-ଏନଟିପିସି ବିକ୍ଷୋଭ ଘଟଣାରେ ଶିକ୍ଷକମାନଙ୍କୁ ଫସାଇବା ଦୁର୍ବାଗ୍ୟଜନକ।

ସରକାର ପିଲାମାନଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ତେଣୁ ପିଲାମାନେ ନ୍ୟାୟ ପାଇଁ ରାଜରାସ୍ତାକୁ ଆସିଛନ୍ତି। ଯଦି ଆପଣ ନିଜର ଦାୟିତ୍ୱ ଠିକ୍‌ ଭାବେ କରିଥାଆନ୍ତେ, ତା’ହେଲେ ଏପରି ସ୍ଥିତି ସୃଷ୍ଟି ହୋଇ ନଥାଆନ୍ତା। ଖାସ୍‌ ଏହି କାରଣ ପାଇଁ ମୁଁ ପିଲା ଓ ଶିକ୍ଷକମାନଙ୍କ ସ୍ୱରକୁ ଚାପିବା ଉଦ୍ୟମକୁ ବନ୍ଦ କରିବାକୁ ଦାବି କରୁଛି। ଯଦି ଆପଣ ଗିରଫ କରିବାକୁ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ମୋତେ ଗିରଫ କରନ୍ତୁ ବୋଲି ଶ୍ରୀ ଯାଦବ କହିଛନ୍ତି।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ ରାମମାଞ୍ଝୀ ମଧ୍ୟ ଖାନ ସାରଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି, “ସମ୍ବିଧାନରେ ହିଂସା ଓ ଭଙ୍ଗାରୁଜାର ଅଧିକାର କାହାକୁ ମିଳିନି। ସରକାରଙ୍କ ପାଇଁ ଏବେ ରୋଜଗାର ଉପରେ ଫୋକସ କରିବାର ସମୟ ଆସି ଯାଇଛି।

ନ ହେଲେ ସ୍ଥିତି ଆହୁରି ଖରାପ ହେବ। ଆରଆରବି-ଏନଟିପିସି ଉପଦ୍ରବ ନାଁରେ ଖାନ ସାର ଓ ଅନ୍ୟ ଶିକ୍ଷକଙ୍କ ନାଁରେ ମାମଲା ଏହି ଅଘୋଷିତ ଯୁବ ଆନ୍ଦୋଳନକୁ ଆହୁରି ତୀବ୍ର କରିପାରେ।”

ଏଫଆଇଆର ପରେ ଖାନ ସାର୍‌ ଗୋଟିଏ ଭିଡିଓ ଜାରି କରି ପିଲାମାନଙ୍କୁ ହିଂସାକାଣ୍ଡରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ହିଂସାକାଣ୍ଡ ଘଟାଇଲେ ସେମାନଙ୍କୁ କେହି ବି ସମର୍ଥନ କରିବେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com