ଜାତୀୟ

ଟାଟା ହାତକୁ ଗଲା ଏୟାର ଇଣ୍ଡିଆ: ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ବ୍ୟାଙ୍କ ଦେବେ ଋଣ, ମୋଦୀଙ୍କୁ ଭେଟିଲେ ଏନ୍‌ ଚନ୍ଦ୍ରଶେଖରନ୍‌

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଆଜି ବିଧିବଦ୍ଧଭାବେ ଟାଟା ଗ୍ରୁପ ହାତକୁ ଯାଇଛି। ଏହି ଘରୋଇକରଣ ଫଳରେ ଏୟାର ଇଣ୍ଡିଆ ପୁନର୍ବାର ଏହାର ପୁରୁଣା ମାଲିକ ଟାଟା ଗ୍ରୁପ୍ ନିକଟକୁ ଯାଇଛି। ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଜେଆର୍‌ଡି ଟାଟାଙ୍କ ଦ୍ବାରା ୧୯୩୨ ମସିହାରେ ଉକ୍ତ ଏୟାରଲାଇନ୍ସର ଆରମ୍ଭ କରାଯାଇଥିଲା। ଏକ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ସରକାର ଏୟାର ଇଣ୍ଡିଆକୁ ଗତବର୍ଷ ଅକ୍ଟୋବର ୮ ତାରିଖରେ ଟାଟା ଗ୍ରୁପକୁ ବିକ୍ରି କରିଦେଇଥିଲେ। ଅକ୍ଟୋବର ୮ରେ ଏୟାର ଇଣ୍ଡିଆ ବିକ୍ରି ଘୋଷଣା କରାଯିବାର ୩ ଦିନ ପରେ ଟାଟା ଗ୍ରୁପ୍‌କୁ ସରକାରଙ୍କ ପକ୍ଷରୁ ଏଲଓଆଇ ଜାରି କରାଯାଇଥିଲା। ସେହି ଚିଠିରେ ଉକ୍ତ କମ୍ପାନିକୁ ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବା ପାଇଁ ସହମତି ପ୍ରକାଶ କରିଥିଲେ। ଅକ୍ଟୋବର ୨୫ ତାରିଖରେ କେନ୍ଦ୍ର ସରକାର ଉକ୍ତ ବିକ୍ରି ପାଇଁ ସେୟାର ପ‌ରର୍ଚେଜ ରାଜିନାମା କମ୍ପାନି ସହିତ ସ୍ବାକ୍ଷର କରିଥିଲେ। ରାଜିନାମା ଅନୁଯାୟୀ, ଟାଟା ଗ୍ରୁପକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବଂ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଶାଖା ଏଆଇଏସଏଟିଏସର ୫୦ ପ୍ରତିଶତ ଅଂଶଧନ ବିକ୍ରିର ବ୍ୟବସ୍ଥା ରହିଛି। ତେବେ ଏୟାର ଇଣ୍ଡିଆର ବିମାନ ଗୁଡ଼ିକ ଟାଟା ବ୍ୟାନରରେ କେବେଠାରୁ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ବରେ ଅନ୍ୟ କେତେକ ବ୍ୟାଙ୍କ ମିଶି ଏୟାର ଇଣ୍ଡିଆ ପାଇଁ ଟାଟା ଗ୍ରୁପ୍‌କୁ ଋଣ ଦେବାପାଇଁ ପ୍ରସ୍ତୁତ ଅଛନ୍ତି। ଅନ୍ୟ ବ୍ୟାଙ୍କ ଗୁଡ଼ିକ ମଧ୍ୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ୟୁନିୟନବ୍ରା ଙ୍କ ଅଫ୍ ଇଣ୍ଡିଆ ମଧ୍ୟ ରହିଛନ୍ତି। କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆର ଉତ୍ତମ ପରିଚାଳନା ପାଇଁ ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ ପାଇଁ ସହମତ ହୋଇଛନ୍ତି। ଏୟାର ଇଣ୍ଡିଆକୁ ଅଧିଗ୍ରହଣ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌ ଚନ୍ଦ୍ରଶେଖରନ୍ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏନ ‌ଚନ୍ଦ୍ରଶେଖରନଙ୍କ ମଧ୍ୟରେ ହୋଇଥିବା ବୈଠକର ଫଟୋକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି।
ଠିକ୍ ସମୟରେ ବିମାନ ଉଡ଼ାଣ ଉପରେ ଟାଟା ଗ୍ରୁପ୍ ସର୍ବାଧିକ ଗୁରୁତ୍ବ ଦେବ । ଏଥିସହିତ ଅନ୍ୟ‌ କେତେକ ପରିବର୍ତ୍ତନ ମଧ୍ୟ କମ୍ପାନି ଆଣିବ। ବିମାନରେ ବସିବା ବ୍ୟବସ୍ଥା ଏବଂ କେବିନ କ୍ରୁଙ୍କ ପୋଷାକ ବଦଳାଇଛି। ଆଗାମୀ ଦିନରେ କମ୍ପାନି ବିମାନରେ ଖାଦ୍ୟ ପ୍ରଦାନ ମାନରେ ଉନ୍ନତି ଆଣିବ ବୋଲି ଆଶା ରଖାଯାଇଛି। ଏଥିସହିତ ବିମାନ ଭିତରେ ରେକର୍ଡ ହୋଇଥିବା ରତନ ଟାଟାଙ୍କ ବାର୍ତ୍ତା ମଧ୍ୟ ବାଜିବ।

Related Articles

Back to top button
WP Twitter Auto Publish Powered By : XYZScripts.com