ଜାତୀୟ

ମଦ ପିଇ ଗାଡ଼ି ଚଳାଇବା ଗୁରୁତର ଅପରାଧ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ() ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ମଦ ପିଇ ଗାଡ଼ି ଚଳାଇବା କେବଳ ଏକ ଗୁରୁତର ଅନୁଚିତ ବ୍ୟବହାର ନୁହେଁ, ଏକ ଅପରାଧ ମଧ୍ୟ। ମଦ ପିଇ ଗାଡ଼ି ଚଳାଇବାକୁ କାହାକୁ ବି ଅନୁମତି ଦିଆଯାଇପାରିବନି। ମାତାଲ ଅବସ୍ଥାରେ ଗାଡ଼ି ଚଳାଇ ଅନ୍ୟର ଜୀବନ ସହ ଖେଳିବା ଏକ ଗୁରୁତର ଅନାଚାର ବୋଲି ଜଷ୍ଟିସ୍ ଏମ୍‌ଆର୍ ଶାହ ଓ ବିଭି ନାଗରତ୍ନାଙ୍କ ବେଞ୍ଚ କହିଥିଲେ।

ମଦ ପିଇ ଗାଡ଼ି ଚଳାଉଥିବା ଜଣେ ପିଏସି (ପ୍ରୋଭିନ୍ସିଆଲ ଆର୍ମଡ କନଷ୍ଟେବୁଲାରି) ଟ୍ରକ୍ ଡ୍ରାଇଭରକୁ କୋର୍ଟ ବାଧ୍ୟତାମୂଳକ ଅବସର ଦେବା ପାଇଁ ଆଦେଶ ଦେଇଛନ୍ତି। ଉକ୍ତ ଡ୍ରାଇଭର ଜଣକ ୨୦୦୦ ମସିହାରେ କୁମ୍ଭମେଳା ସମୟରେ ଫତେପୁରରୁ ଆଲ୍ଲାହାବାଦକୁ ଟ୍ରକ୍‌ରେ ପିଏସି କର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ମଦର ପ୍ରଭାବ ହେତୁ ଦୁର୍ଘଟଣା ଘଟାଇଥିଲେ। ଖଣ୍ଡପୀଠ କହିଥିଲେ ଯେ ଶୃଙ୍ଖଳିତ ବିଭାଗରେ ଏପରି ବିଶୃଙ୍ଖଳାକୁ ବରଦାସ୍ତ କରାଯାଇ ପାରିବ ନାହିଁ। ଡ୍ରାଇଭର ବ୍ରିଜେଶ ଚନ୍ଦ୍ର ଦ୍ବିବେଦୀଙ୍କ ପରିବାରବର୍ଗଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ, ତାଙ୍କର ଯେହେତୁ ମୃତ୍ୟୁ ଘଟି ସାରିଲାଣି ଏବଂ ସେ ଘଟାଇଥିବା ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନ ଥିଲା, ତେଣୁ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ବହିଷ୍କାର କରିବା ଅନ୍ୟାୟ ହୋଇଛି। ଏହା ଉପରେ କୋର୍ଟ କହିଥିଲେ, ଦୁର୍ଘଟଣା ଛୋଟିଆ ଓ ସେଥିରେ କାହାର କ୍ଷତି ହୋଇ ନାହିଁ ବୋଲି ଏଭଳି ଅପରାଧ ପାଇଁ କୌଣସି ଦୟା ଦେଖାଯାଇ ପାରିବ ନାହିଁ। ଭାଗ୍ୟ ଭଲ କାହାର କିଛି ହୋଇ ନାହିଁ କିନ୍ତୁ ଏଥିରେ ମୃତାହତ ହେବାର ଆଶଙ୍କା ବି ଥିଲା।

ଯେତେବେଳେ ଡ୍ରାଇଭର ଜଣକ ପିଏସି କର୍ମଚାରୀଙ୍କୁ ନେଇ ଯାଉଛନ୍ତି, ସେତେବେଳେ ସେମାନଙ୍କ ଜୀବନ ଡ୍ରାଇଭର ହାତରେ। ତେଣୁ ମଦ ପିଇ ଗାଡ଼ି ଚଳାଇବା ମାନେ ସେ କର୍ମଚାରୀମାନଙ୍କ ଜୀବନ ସହ ଖେଳିଛନ୍ତି। ତେବେ କୋର୍ଟ ଉକ୍ତ ଡ୍ରାଇଭରଙ୍କ ଚାକିରିରୁ ବରଖାସ୍ତ ଦଣ୍ଡକୁ କୋହଳ କରି ବାଧ୍ୟତାମୂଳକ ଅବସର ପାଇଁ ଆଦେଶ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com