ଓଡ଼ିଶା

ନନ୍ଦନକାନନରେ ତ୍ରିକୋଣୀୟ ପ୍ରେମ: ମଣିଷଖିଆ ପ୍ରେମରେ ମଞ୍ଜୁ, ଅନିତା

ବାରଙ୍ଗ() ୨୦୧୭ ମସିହାରେ ସେ ନୂଆପଡ଼ା ଜିଲ୍ଲା‌ରେ ମଣିଷ ଖାଇ ଚର୍ଚ୍ଚାକୁ ଆସିଥିଲା। ଖରିଆର୍‌ ବନଖଣ୍ଡ ହଳିଦିଆ ଗାଁରୁ ଜଣକ ଘରୁ ମା’ କୋଳରୁ ଶିଶୁକନ୍ୟାକୁ ଝାମ୍ପି ନେଇ ଖାଇଦେବା ପରେ ସେ ଉକ୍ତ ଅଞ୍ଚଳରେ କୋକୁଆଭୟ ଖେଳାଇ ଦେଇଥିଲା। ପରେ ପରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ମାରି ଦେଇଥିଲା। ଏମିତି ଦୁଇ ଦୁଇଟି ମଣିଷମରା କାଣ୍ଡ ଘଟାଇବା ପରେ ସମଗ୍ର ରାଜ୍ୟରେ ତାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଆଜି ସେଇ କୁଖ୍ୟାତ ମଣିଷମରା ନନ୍ଦନକାନନରେ ପ୍ରେମ କରି ବସିଛି। ମଞ୍ଜୁ ଓ ଅନିତା ତାକୁ ଭଲ ପାଇ ବସିଛନ୍ତି। ମାତ୍ର ସେମାନଙ୍କ ମିଳନରେ ବାଧକ ସାଜିଛି ଆଇନ ବା ନିୟମକାନୁନ୍‌। ଏଥିପାଇଁ ଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ା। ଏବେ ନନ୍ଦନକାନନ କର୍ତ୍ତୃପକ୍ଷ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି। ମାତ୍ର ଅନୁମତି ମିଳିବା ଯେତିକି ବିଳମ୍ବିତ ହେଉଛି, ସେମାନଙ୍କ ଏହି ତ୍ରିକୋଣୀୟ ପ୍ରେମର ନିବିଡ଼ତା ସେତିକି ବଢ଼ିବଢ଼ି ଯାଉଛି। ଏହା ହେଉଛି ୯୧ ନମ୍ବର ଖୁଆଡ଼ରେ ରହୁଥିବା ଦୁଇ କଲରାପତରିଆ ବାଘୁଣୀ ମଞ୍ଜୁ ଓ ଅନିତାଙ୍କ ୯୨ ନମ୍ବର ଖୁଆଡ଼ରେ ରହୁଥିବା ଅଣ୍ଡିରା କଲରାପତରିଆ ବାଘକୁ ପ୍ରେମ କରୁଥିବାର କାହାଣୀ।

ନିୟମାନୁସାରେ ଏବେ ବାଘମାନଙ୍କ ମିଳନର ଋତୁ। ସାଧାରଣତଃ ଶୀତ ଋତୁ ସରି ଆସୁଥିବା ବେଳେ ଘନ କୁହୁଡ଼ି ପଡ଼ୁଥିବା ସମୟରେ ହିଁ ବାଘମାନଙ୍କ ମିଳନ ହୋଇଥାଏ। ତେଣୁ ଯୁବାବସ୍ଥାରେ ପହଞ୍ଚିଥିବା ମଣିଷମରା କଲରାପତରିଆ(୧୩ ବର୍ଷ ବୟସ) ପାଖ ଖୁଆଡ଼ର ଦୁଇ ବାଘୁଣୀଙ୍କ ପ୍ରତି ଆକୃଷ୍ଟ ହୋଇଛି। ସୂଚନାଯୋଗ୍ୟ, ଅନିତା ଗୁଜୁରାଟରୁ ଆସିଛି ଓ ମଞ୍ଜୁ ପଞ୍ଜାବରୁ। ଏବେ ଅନିତାକୁ ୧୮ ବର୍ଷ ଓ ମଞ୍ଜୁକୁ ୧୬ ବର୍ଷ ବୟସ। ବୟସ ଦୃଷ୍ଟିରୁ ଏହି ଦୁଇ ମାଈ କଲରାପତରିଆ ବୁଢ଼ୀ ହେବାକୁ ବସିଲେଣି। ଗତ କିଛି ଦିନ ହେଲା ଏହି ଦୁଇ ବାଘୁଣୀ ଦୁଇ ଖୁଆଡ଼ ମଝିରେ ଥିବା ତାର ଜାଲି ପାଖ ଛାଡ଼ୁନାହାନ୍ତି। ମଣିଷମରା ବି ତାରଜାଲି ପାଖରେ ଘୁରି ବୁଲୁଛି। ମଞ୍ଜୁ ଓ ମଣିଷମରା ମୁହଁକୁ ମୁହଁ ଲଗାଇ ଘଷି ହେଉଥିବା ବେଳେ ଅନିତା ବି ଏଥିରେ ପଛରେ ପଡ଼ୁନାହିଁ। ବହୁ ସମୟରେ ଅନିତା ତାରଜାଲିରେ ଦୁଇ ଗୋଡ଼ ଟେକିରଖି ମଣିଷମରା ସହ ଗେଲ ହେଉଛି। ସେମାନଙ୍କ ଏହି ଆଚରଣ ଦେଖାଯିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସେମାନଙ୍କୁ ପୃଥକ ପୃଥକ ଭାବେ ମିଳନ କରାଇବାକୁ ଯୋଜନା କରିଛନ୍ତି। କେବଳ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଯଦି ଏହା ସମ୍ଭବ ହୁଏ, ତେବେ ନନ୍ଦନକାନନରେ କଲରାପତରିଆ ବାଘ ବଂଶ ବୃଦ୍ଧି ପାଇବ। କାରଣ ଏକାଥରକେ ମଞ୍ଜୁ ଓ ଅନିତା ମା’ ହେବାର ସୌଭାଗ୍ୟ ପାଇବେ।

ଏବେ ନନ୍ଦନକାନନରେ ୪ଟି ଅଣ୍ଡିରା ଓ ୩ଟି ମାଈଙ୍କୁ ମିଶାଇ ମୋଟ ୭ଟି କଲରାପତରିଆ ବାଘ ଅଛନ୍ତି। ୨୦୧୭ ମସିହାରେ ନୂଆପଡ଼ା ଖରିଆର୍ ବନଖଣ୍ଡରୁ ଧରା ହୋଇଥିବା ଦୁଇ ଅଣ୍ଡିରାଙ୍କୁ ଛାଡ଼ିଦେଲେ, ଅନ୍ୟମାନେ ବୁଢ଼ାବୁଢ଼ୀ ହେବାକୁ ବସିଲେଣି। ତେଣୁ ଏବେଠୁ ସେମାନଙ୍କୁ ମିଳନ ସୁଯୋଗ ଦିଆନଗଲେ ବଂଶ ବୃଦ୍ଧି ସୁଯୋଗ ହାତଛଡା ହେବ ବୋଲି ବିଭାଗୀୟ ଅଧିକାରୀମାନେ ଅନୁମାନ କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ ମତରେ ନନ୍ଦନକାନନରେ କଲରାପତରିଆ ବାଘ ବଂଶ ବୃଦ୍ଧିର ଶେଷ ଆଶା ଏବେ ମଞ୍ଜୁ ଓ ଅନିତା। ସେହିଭଳି ନୂଆପଡ଼ାରୁ ଧରା ଯାଇଥିବା ଦୁଇ ଅଣ୍ଡିରା କଲରାପତରିଆ ବାଘ ବି ଏଥିପାଇଁ ଯୋଗ୍ୟ। ତେଣୁ ଦିଲ୍ଲୀ ଚିଡ଼ିଆଖାନା କର୍ତ୍ତୃପକ୍ଷ ଏଥିପାଇଁ ଅନୁମତି ଦେବେ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୬ରେ ନୂଆପଡ଼ା ଖରିଆର ବନଖଣ୍ଡରୁ ଅଣ୍ଡିରା କଲରାପତରିଆକୁ ଧରାଯାଇ ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ତାକୁ ୭ ବର୍ଷ ବୟସ ହୋଇଥିଲା ଓ ଏବେ ସେ ୧୨ ବର୍ଷର ଯୁବକ। ସେହିଭଳି ୨୦୧୭ ଅକ୍ଟୋବର ୩୧ରେ ମଣିଷମରା କୁଖ୍ୟାତି ବହନ କରିଥିବା ଅଣ୍ଡିରା କଲରାପତିରଆକୁ ସେହି ଖରିଆର ବନଖଣ୍ଡରୁ ଧରି ନନ୍ଦନକାନନକୁ ଅଣାଯାଇଥିଲା। ସେତେବେଳେ ତାକୁ ୮ ବର୍ଷ ବୟସ ହୋଇଥିଲା ଓ ଏବେ ସେ ୧୩ ବର୍ଷ ଭେଣ୍ଡିଆ। ଏବେ ନନ୍ଦନକାନନରେ ଥିବା ଅନ୍ୟ ୨ ଅଣ୍ଡିରାଙ୍କ ମଧ୍ୟରେ ପଞ୍ଜାବରୁ ଆସିଥିବା ମଙ୍ଗଲ୍‌ର ବନ୍ଧ୍ୟାକରଣ ହୋଇଛି। ସେହିଭଳି ବେଙ୍ଗାଲୁରରୁ ଆସିଥିବା ଅଣ୍ଡିରାଟି ବାର୍ଦ୍ଧକ୍ୟରେ ଉପନୀତ ହୋଇସାରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com