ଅନ୍ତର୍ଜାତୀୟ

କ୍ରିସ୍ ରକଙ୍କୁ କ୍ଷମା ମାଗିଲେ ଅଭିନେତା ଓ୍ବିଲ୍ ସ୍ମିଥ୍, ଓସ୍କାର ପୁରସ୍କାରରେ ରକଙ୍କୁ ଚାପୁଡ଼ା ମାରିଥିଲେ ସ୍ମିଥ୍

ଲସ୍ ଆଞ୍ଜେଲେସ୍() ଓସ୍କାର ପୁରସ୍କାର ଉତ୍ସବରେ ଉପସ୍ଥାପକ କ୍ରିସ୍ ରକଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡ଼ା ମାରିବା ପରେ ଅଭିନେତା ୱିଲ୍ ସ୍ମିଥ୍ କ୍ଷମା ମାଗିଛନ୍ତି | ୱିଲ୍ ସ୍ମିଥ୍ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ ସ୍ୱୀକାର କରିଛନ୍ତି ଯେ ସେ ଭୁଲ୍ କରିଛନ୍ତି । କେବଳ ଏତିକି ନୁହେଁ, ଏହି ଅଭିନେତା ତାଙ୍କର ଏଭଳି ଆଚରଣ ପାଇଁ ଲଜ୍ଜିତ ବୋଲି ମଧ୍ୟ କହିଛନ୍ତି | ୱିଲ ସ୍ମିଥ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଏଥିରେ ଲେଖିଛନ୍ତି, ‘ ଯେକୌଣସି ରୂପରେ ହିଂସା ବିଷାକ୍ତ ଏବଂ ବିନାଶକାରୀ | ଗତ ରାତିର ଏକାଡେମୀ ପୁରସ୍କାରରେ ମୋର ଆଚରଣ ଗ୍ରହଣୀୟ ନୁହେଁ | ମୋର ବିଷୟରେ ଥଟ୍ଟା କରିବା ମୋର କାମର ଏକ ଅଂଶ, କିନ୍ତୁ ଜେଡା (ସସ୍ମିତାଙ୍କ ପତ୍ନୀ) ଙ୍କ ସ୍ବାସ୍ଥ୍ୟ ସମସ୍ୟା ଉପରେ ପରିହାସ କରିବା ମୋର ସହନଶୀଳତାର ବାହାରେ ଥିଲା ଏବଂ ମୁଁ ଭାବପ୍ରବଣ ହୋଇ ପ୍ରତିକ୍ରିୟାଶୀଳ ହୋଇଥିଲି |

ବାସ୍ତବରେ ରବିବାର ଲସ୍ ଆଞ୍ଜେଲେସର ଡଲବି ଥିଏଟର ରେ ୯୪ତମ ଓସ୍କାର ପୁରସ୍କାର ଉତ୍ସବରେ ଉପସ୍ଥାପକ କ୍ରିସ୍ ରକଙ୍କୁ ଅଭିନେତା ଓ୍ବିଲ୍ ସ୍ମିଥ୍ ମଞ୍ଚ ଉପରେ ଚାପୁଡ଼ା ମାରିଥିଲେ। ବାସ୍ତବରେ ଡକ୍ୟୁମେଣ୍ଟାରୀ ଫିଚର୍ ପାଇଁ ଓସ୍କାର ପୁରସ୍କାର ଘୋଷଣା କରିବାକୁ କ୍ରିସ୍ ରକ୍ ମଞ୍ଚକୁ ଆସିଥିଲେ | ଏହି ସମୟରେ କ୍ରିସ୍, ୱିଲ୍ ସ୍ମିଥଙ୍କ ପତ୍ନୀ ଜେଡାଙ୍କ କେଶ ଝଡ଼ିବା ସମସ୍ୟା ନେଇ ମନ୍ତବ୍ୟ ଦେଇଥିଲେ । ସ୍ମିଥ୍ ତାଙ୍କ ପତ୍ନୀଙ୍କ ଉପରେ କ୍ରିସଙ୍କ ଏଭଳି ଉପହାସ ନେଇ ରାଗି ଯାଇଥିଲେ । ସେ ନିଜ ଆସନରୁ ଉଠି ହଠାତ୍ ମଞ୍ଚ ଉପରକୁ ଯାଇ
କ୍ରିସ୍ ରକଙ୍କୁ ଚାପୁଡ଼ା ମାରିଥିଲେ | ଏହି ଘଟଣାରେ ଉପସ୍ଥିତ କଳାକାର ଓ ଅତିଥି ସ୍ତବ୍ଧ ହୋଇଯାଇଥିଲେ । ଟିଭି ଦର୍ଶକ ମଧ୍ୟ ସ୍ମିଥ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ବିଶ୍ୱାସ କରିପାରି ନଥିଲେ ‌‌ । ସ୍ମିଥଙ୍କ ଏଭଳି ଆଚରଣରେ ଉପସ୍ଥାପକ କ୍ରିସ୍ ରକ୍ ବି କିଛି ସମୟ ଅବାକ୍ ହୋଇଯାଇଥିଲେ । କିନ୍ତୁ ଓସ୍କାର ପୁରସ୍କାର ଉତ୍ସବ ଏହାଦ୍ବାରା ଯେଉଁଭଳି ପ୍ରଭାବିତ ନ ହୁଏ ସେଥିପାଇଁ ସେ ଏହାକୁ ହାଲୁକା ଭାବରେ ନେଇ ପୁରସ୍କାର ସଞ୍ଚାଳନ କାର୍ଯ୍ୟ ଜାରି ରଖିଥିଲେ | ସଂଯୋଗ ବଶତଃ ସ୍ମିଥ୍ ଏଥର ‘କିଙ୍ଗ୍ ରିଚାର୍ଡ’ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ପୁରସ୍କାର ପାଇଥିଲେ ।

ଅନ୍ୟପଟେ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ଘଟଣା ପରେ ଏକାଡେମୀ ପୁରସ୍କାର କର୍ତ୍ତୃପକ୍ଷ ଓ୍ବିଲ୍ ସ୍ମିଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରୁଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com