ଚାକିରିରୁ ବରଖାସ୍ତ କରିବା ମହଙ୍ଗା ପଡ଼ିଲା; ଡାକ୍ତରଙ୍କ ୮ ବର୍ଷର ପୁଅକୁ ଅପହରଣ କରି ହତ୍ୟାକଲେ ୨ କର୍ମଚାରୀ

ୟୁପି () ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ କ୍ଲିନିକ୍ ଚଳାଉଥିବା ଜଣେ ଡାକ୍ତରଙ୍କ ଆଠ ବର୍ଷର ପୁଅକୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେହି କ୍ଲିନିକ୍ରେ କାର୍ଯ୍ୟ କରୁଥିବା ଦୁଇ ଜଣ କର୍ମଚାରୀଙ୍କୁ ଡାକ୍ତର ଜଣକ ଚାକିରିରୁ ବିଦା କରିବା ପରେ ସେମାନେ ଏହି ଜଘନ୍ୟ ଅପରାଧ ଘଟାଇଥିବା ପୁଲିସ କହିଛି। ଏଥିସହ ଦୁଇ ଅଭିଯୁକ୍ତ ନିଜାମ ଏବଂ ସହିଦଙ୍କୁ ପୁଲିସ୍ ଗିରଫ କରିଥିବା ଜାଣିବାକୁ ମିଳିଛି।
ଦୁଇ ଦିନ ଧରି ନିଖୋଜ ଥିବା ବାଳକର ମୃତଦେହ ଅପହରଣ ହେବାର ପ୍ରାୟ ୬୦ ଘଣ୍ଟା ପରେ ରବିବାର ଉଦ୍ଧାର କରାଯାଇଥିଲା। ପୁଲିସ କହିଛି ଯେ ବାଳକର ପିତା ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ତାଙ୍କ ଆଠ ବର୍ଷର ନାବାଳକ ଶିଶୁ ପୁତ୍ରକୁ ଅପହରଣ କରି ନିଆ ଯାଇଥିବା ବିଷୟରେ ସୂଚନା ଦେଇଥିଲେ। ଏହି ଅଭିଯୋଗ ହସ୍ତଗତ ହେବାପରେ ତୁରନ୍ତ, ପୁଲିସ ଏକ ମାମଲା ରଜ୍ଜୁ କରିବା ସହ ପୁଲିସର ପାଞ୍ଚଟି ଦଳ ବାଳକକୁ ଖୋଜିବା ଆରମ୍ଭ କରିଥିଲେ।
ପ୍ରମାଣ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଥିଲା ବୋଲି ପୁଲିସ କହିଛି। ପୁଲିସ ଦ୍ୱାରା ସେମାନଙ୍କର ପଚରାଉଚରା ପରେ ସେମାନଙ୍କ ପ୍ରଦତ୍ତ ତଥ୍ୟ ଆଧାରରେ ନିଖୋଜ ଶିଣୁର ମୃତଦେହ ଉଦ୍ଧାର କରାଯାଇଥିଲା ବୋଲି ପୁଲିସ୍ ଅଧିକାରୀ କହିଛନ୍ତି।
ପୁଲିସ୍ କହିଛି ଯେ ଏହି ହତ୍ୟାକାଣ୍ଡ ଗଳା କାଟି କରାଯାଇଥିବା ଜଣାପଡିଛି। ଦୁଇ ଅଭିଯୁକ୍ତ ଡାକ୍ତରଙ୍କ ସହ କମ୍ପାଉଣ୍ଡର ଭାବରେ କାମ କରୁଥିଲେ ଏବଂ କିଛି ଭୁଲ ପାଇଁ ଡାକ୍ତର ସେମାନଙ୍କୁ ଚାକିରିରୁଚ ବରଖାସ୍ତ କରିଥିଲେ। ସେବେଠାରୁ, ସେମାନେ ଡାକ୍ତରଙ୍କ ଉପରେ ପ୍ରତିଶୋଧ ନେବା ଯୋଜନାରେ ଥିଲେ। ସେମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ଶତ୍ରୁତାରୁ ସେମାନେ ବାଳକକୁ ଅପହରଣ କରିଥିଲେ ଏବଂ ଶିଶୁକୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ୍ ସର୍କଲ ଅଫିସର କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ପଚରାଉଚରା ସମୟରେ ସାମ୍ନାକୁ ଆସିଥିବା ପ୍ରତ୍ୟେକ ସୂଚନାକୁ ପୁଲିସ ଏବେ ଅନୁସନ୍ଧାନ କରୁଛି।